ଭୁବନେଶ୍ୱର: ରାଜ୍ୟରେ ଅଟିଜିମ୍ ପିଲାଙ୍କ ପାଇଁ ଆସୁଛି ବଡ଼ ସୁବିଧା। ଏବେ ଚିକିତ୍ସା ଓ ଥେରାପି କମ୍ ଖର୍ଚ୍ଚରେ ହେବ ଅଧିକ ସହଜ। ସରକାର ଏହାକୁ ବ୍ୟବସ୍ଥିତ ଓ ନିୟନ୍ତ୍ରିତ କରିବା ପାଇଁ ଆଣିବାକୁ ଯାଉଛନ୍ତି ଏକ ନୂଆ ଏସ୍ଓପି (SOP)। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଅଟିଜିମ୍ ପିଲାଙ୍କ ଚିକିତ୍ସା ଓ ଥେରାପିକୁ ଅଧିକ ସୁଲଭ କରାଯିବା ସହିତ, ସେମାନଙ୍କର ଅନ୍ତର୍ନିହିତ ଦକ୍ଷତା ବିକାଶ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯିବ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନୂଆ ନୀତିକୁ ଆକାର ଦେବେ ବୋଲି ଜଣାଇଛନ୍ତି। “ବିକଶିତ ଭାରତ ଓ ବିକଶିତ ଓଡ଼ିଶା” ଗଠନରେ ଅଟିଜିମ୍ ପ୍ରଭାବିତ ଛାତ୍ରଛାତ୍ରୀମାନେ ମଧ୍ୟ ସମାନ ଭାଗୀଦାର ହେବେ ବୋଲି ସେ ମତ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ସମୟରେ ରାଜ୍ୟରେ ଅଟିଜିମ୍ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ପର୍ଯ୍ୟାପ୍ତ ସରକାରୀ ସୁବିଧା ନଥିବାରୁ ଅଭିଭାବକମାନେ ବେଶି ଖର୍ଚ୍ଚ କରି ଘରୋଇ ଥେରାପି ସେଣ୍ଟର ଉପରେ ନିର୍ଭର କରୁଛନ୍ତି। ଏହି ନୂଆ SOP ଆସିଲେ, ଏହି ସମସ୍ୟାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
ସରକାରଙ୍କ ଏହି ପଦକ୍ଷେପ କେବଳ ଖର୍ଚ୍ଚ କମେଇବାରେ ସୀମିତ ନୁହେଁ, ବରଂ ଅଟିଜିମ୍ ପିଲାଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସ୍ୱାଭିମାନପୂର୍ଣ୍ଣ ଭବିଷ୍ୟତ ଗଠନରେ ମଧ୍ୟ ମୂଲ୍ୟବାନ ଭୂମିକା ନେବ।