ଭୁବନେଶ୍ୱର: ରାଜ୍ୟର ଗରିବ ଓ ମଧ୍ୟମ ବର୍ଗ ପରିବାରଙ୍କ ପାଇଁ ବଡ଼ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏଣିକି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଅଧିକ ୫ କେଜି ଚାଉଳ ପାଇବେ। ଏହି ସୁବିଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ଥିବା ସମସ୍ତଙ୍କୁ ମିଳିବ। ବର୍ତ୍ତମାନ ଯେତେ ଚାଉଳ ମିଳୁଛି, ସେଥିରେ ଅତିରିକ୍ତ ଭାବେ ମୁଣ୍ଡ ପିଛା ୫ କେଜି ଚାଉଳ ମାଗଣାରେ ଦିଆଯିବ।
ସରକାର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ମାଧ୍ୟମରେ ୨୦୨୬-୨୭ ଆର୍ଥିକ ବର୍ଷରୁ ଏହି ନୂତନ ବ୍ୟବସ୍ଥା ଲାଗୁ ହେବ। ଏଥିରେ ରାଜ୍ୟର ଲକ୍ଷାଧିକ ପରିବାର ସିଧାସଳଖ ଲାଭ ଉଠାଇବେ। ଏହି ନୂଆ ଯୋଜନାରେ ମାସକୁ ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ରାଜ୍ୟରେ ଏବେ NFSA ଅଧୀନରେ ୩ କୋଟିରୁ ଅଧିକ ଲୋକ ଏବଂ SFSS ଅଧୀନରେ ମଧ୍ୟ ଲକ୍ଷାଧିକ ଲୋକ ଚାଉଳ ପାଉଛନ୍ତି। ଏହି ନୂତନ ଘୋଷଣା ପରେ ସେମାନଙ୍କର ଚାଉଳ ପରିମାଣ ଆଉ ବଢ଼ିବ। ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି।
ସରକାରୀ ତଥ୍ୟ ଅନୁସାରେ, ପ୍ରତିମାସ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଣ୍ଟନ ହେବ। ଏହା ଦ୍ୱାରା ଗରିବ ପରିବାରମାନେ ଖାଦ୍ୟ ନିଅଣ୍ଟ କଷ୍ଟରେ ପଡ଼ିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କେହି ମଧ୍ୟ ଭୋକରେ ନ ରୁହନ୍ତୁ ବୋଲି ସରକାର ଏହି ପଦକ୍ଷେପ ନେଇଛି। ଏହି ନୂତନ ଯୋଜନା ଦ୍ୱାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ ଏବଂ ଲକ୍ଷାଧିକ ପରିବାର ଏଥିରୁ ସିଧାସଳଖ ଲାଭ ପାଇବେ।
ଅଧିକ ପଢନ୍ତୁ: ଟୋଲ୍ ପ୍ଲାଜାରେ ହାଇ-ଭୋଲ୍ଟେଜ୍ ଡ୍ରାମା ସୃଷ୍ଟି, ଭଙ୍ଗାରୁଜା କଲେ ମଦ୍ୟପ ଯୁବତୀ