ବାଲେଶ୍ୱର: ବନ୍ଧୁକ ମୁନରେ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ୍। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ। ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ଗହଣା ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁସାରେ, ଗଗନ ପ୍ରଧାନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଅମର୍ଦ୍ଦା ରେଳବାଇ ରାସ୍ତା କଡ଼ରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। କିଛି ବୁଝିପାରିବା ପୂର୍ବରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ ଏବଂ ହାତରେ ଥିବା ଗହଣା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ପଳାଇଯାଇଥିଲେ। ଲୁଟ ହୋଇଥିବା ସୁନାଗହଣାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ପୀଡ଼ିତ ବ୍ୟବସାୟୀ କହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ବସ୍ତା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚାରିପାଖର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ, ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ଚେଷ୍ଟା ଜାରି ରହିଛି। ତେବେ କିଛି ମାସ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ବିଜେଡ଼ି ନେତା ସଂଗ୍ରାମ କେଶରୀ ନାଏକଙ୍କ ଘରେ ମଧ୍ୟ ସଶସ୍ତ୍ର ଡକାୟତି ଘଟିଥିଲା। ସେଠାରେ ୮ଜଣ ଅସ୍ତ୍ରଧାରୀ ଡକାୟତ ପ୍ରଥମେ ଗୁଳି ଚାଳନା କରି ପରିବାରକୁ ଭୟଭୀତ କରିଥିଲେ, ପରେ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ।
ଏପରି ଲୁଟ୍ ଘଟଣା ଲଗାତାର ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ୁଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ସହ ରାତିରେ ପେଟ୍ରୋଲିଂ ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।