ଭୁବନେଶ୍ୱର: ଆସାମରେ ବିଜେପି ପାଇଁ ଜୋରଦାର ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ସେ ଦୁଇ ଦିନିଆ ଆସାମ ଗସ୍ତରେ ଯାଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରେ କ୍ୟାମ୍ପେନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆସାମର ଏକାଧିକ ସେନ୍ସିଟିଭ୍ ନିର୍ବାଚନ ମଣ୍ଡଳୀରେ ରୋଡ୍ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ। ବିଶେଷ କରି ଆଦିବାସୀ ଭୋଟରଙ୍କୁ ଫୋକସ୍ କରି ତାଙ୍କର ଅଭିଯାନ ଚାଲିବ ବୋଲି କୁହାଯାଉଛି।
ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ଦୁଇଥର ଗସ୍ତ କରି ବିଜେପି ପାଇଁ ପ୍ରଚାର କରିଥିଲେ। ସେଠାରେ ମଧ୍ୟ ତାଙ୍କ କ୍ୟାମ୍ପେନ ଦଳକୁ ମଜବୁତ କରିଥିବା କୁହାଯାଉଛି। ଏବେ ଆସାମରେ ତାଙ୍କର ପ୍ରଚାର କେତେ ପ୍ରଭାବ ପକାଇବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁସାରେ, ଆଦିବାସୀ ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବା ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ତାଙ୍କର ଲୋକପ୍ରିୟତା ଓ ଭାଷଣ ଶୈଳୀକୁ ଦେଖି ବିଜେପି ତାଙ୍କୁ ଆସାମରେ ପ୍ରଚାର ପାଇଁ ଆଣିଛି।
ଏହି ପ୍ରଚାର କ୍ୟାମ୍ପେନ ୨ ଦିନ ଧରି ଚାଲିବ, ରବିବାର ଓ ସୋମବାର ପ୍ରଚାର କରି ଓଡ଼ିଶା ଫେରି ଆସିବେ। ତେବେ ଏହି ଗସ୍ତ ସମୟରେ ସେ ଦଳୀୟ କର୍ମୀମାନଙ୍କ ସହିତ ମିଟିଂ କରିବା ସହ ସ୍ଥାନୀୟ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବେ। ଆସାମରେ ବହୁ ଓଡ଼ିଆ ଭାଷାଭାଷୀ ଭୋଟର୍ ଅଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ଦ୍ୱାରା ବିଜେପିକୁ ଲାଭ ମିଳିବ। ଏହା ଆଗାମୀ ନିର୍ବାଚନରେ ବିଜେପି ପାଇଁ ଏକ ବଡ଼ ଫ୍ୟାକ୍ଟର ହୋଇପାରେ।