ନୂତନ ଶ୍ରମ ଆଇନ ଅଧୀନରେ ଗ୍ରାଚ୍ୟୁଇଟି ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ, ଫିକ୍ସଡ୍-ଟର୍ମ କର୍ମଚାରୀ (FTE) ମାନଙ୍କୁ ଗ୍ରାଚ୍ୟୁଇଟି ପାଇବା ପାଇଁ ଏବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିୟମରେ ପରିବର୍ତ୍ତନ ଯୋଗୁଁ କେବଳ ଏକ ବର୍ଷର ନିରନ୍ତର ସେବା ପରେ ହିଁ ସେମାନେ ଗ୍ରାଚ୍ୟୁଇଟି ପାଇବାକୁ ହକଦାର ହେବେ।
ଫିକ୍ସଡ୍ ଟର୍ମ କ’ଣ?
ପୂର୍ବରୁ କମ୍ପାନୀ ଯେତେବେଳେ ଚୁକ୍ତିଭିତ୍ତିକ କୌଣସି କର୍ମଚାରୀଙ୍କୁ କାମରେ ରଖୁଥିଲା, ତେବେ ତାଙ୍କୁ ସ୍ଥାୟୀ ବା ପରମାନେଣ୍ଟ କର୍ମଚାରୀଙ୍କ ଭଳି ଲାଭ ମିଳୁନଥିଲା। ଏବେ 'ଫିକ୍ସଡ୍-ଟର୍ମ' ଅଧୀନରେ ଏକ ନିଶ୍ଚିତ ସମୟ (୧ ବର୍ଷ ବା ୨ ବର୍ଷ) ପାଇଁ ଲିଖିତ ଚୁକ୍ତିନାମାରେ ନିଯୁକ୍ତ କର୍ମଚାରୀ ସିଧାସଳଖ କମ୍ପାନୀର ପେ-ରୋଲ୍ରେ ରହିବେ। ଅର୍ଥାତ୍ ସେମାନଙ୍କର ଦରମା, ଛୁଟି ଏବଂ ଆଲାଉନ୍ସ ସ୍ଥାୟୀ କର୍ମଚାରୀଙ୍କ ଭଳି ହିଁ ମିଳିବ।
ବର୍ତ୍ତମାନର ଆଇନ (Payment of Gratuity Act, 1972) ମୁତାବକ, କୌଣସି ବି କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ସେତେବେଳେ ମିଳିଥାଏ, ଯେତେବେଳେ ସେ ୫ ବର୍ଷର ସେବା ସମ୍ପୂର୍ଣ୍ଣ କରିଥାନ୍ତି। FTE ଅଧୀନରେ, ଏବେ ଯଦି ଆପଣଙ୍କର କମ୍ପାନୀ ସହ ଚୁକ୍ତିନାମା ୧ ବର୍ଷ ୩ ମାସର ଅଛି, ତେବେ ଆପଣଙ୍କୁ ପୂରା ୧୫ ମାସର ଗ୍ରାଚ୍ୟୁଇଟି ମିଳିବ। ଏହା ସେହି ଲୋକଙ୍କ ପାଇଁ ଖୁସିର କଥା, ଯେଉଁମାନେ ଖାସକରି ପ୍ରୋଜେକ୍ଟ-ଭିତ୍ତିକ କାମ କରନ୍ତି।
ମୋଟାମୋଟି ଭାବେ, ଫିକ୍ସଡ୍-ଟର୍ମ କର୍ମଚାରୀ (FTE) ଙ୍କ ପାଇଁ ଅତିକମରେ ୧ ବର୍ଷର ସେବା ଅନିବାର୍ଯ୍ୟ। ୧ ବର୍ଷରୁ କମ୍ କାମ କଲେ ସେମାନଙ୍କୁ ଗ୍ରାଚ୍ୟୁଇଟି ମିଳିବ ନାହିଁ। ୧ ବର୍ଷ ପୂରଣ ହେବା ପରେ ଆପଣ ଯେତେ ମାସ ବା ଦିନ କାମ କରନ୍ତି, କମ୍ପାନୀ ସେତିକି ସମୟର ଗ୍ରାଚ୍ୟୁଇଟି ଆପଣଙ୍କୁ ଯୋଡ଼ି ଦେବ; ଯେମିତି କି ୧ ବର୍ଷ ୫ ମାସ କାମ କରିଛନ୍ତି, ତେବେ ଆପଣଙ୍କୁ ୧୭ ମାସର ଗ୍ରାଚ୍ୟୁଇଟି ମିଳିବ।
କାହିଁକି ବଦଳିଲା ନିୟମ?
ନିୟମରେ ଏହି ପରିବର୍ତ୍ତନ ଛୋଟ ଛୋଟ ପ୍ରୋଜେକ୍ଟରେ କାମ କରୁଥିବା କିମ୍ବା ଫିକ୍ସଡ୍ କଣ୍ଟ୍ରାକ୍ଟ (୧ ବା ୨ ବର୍ଷ) ରେ କାମ କରୁଥିବା ଲୋକଙ୍କୁ ଧ୍ୟାନରେ ରଖି କରାଯାଇଛି, ଯଦ୍ୱାରା ସେମାନଙ୍କୁ ମଧ୍ୟ ସେମାନଙ୍କ କାମ ବଦଳରେ ପୁରସ୍କାର ସ୍ୱରୂପ ଗ୍ରାଚ୍ୟୁଇଟି ମିଳିପାରିବ ଏବଂ ୫ ବର୍ଷ ପର୍ଯ୍ୟନ୍ତ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ବେସିକ୍ ସାଲାରୀରେ ବୃଦ୍ଧି
ନୂତନ ଲେବର କୋଡ୍ ଅନୁସାରେ, ଗ୍ରାଚ୍ୟୁଇଟିର ଗଣନା ଦରମା ଭିତ୍ତିକ ହେବ, ଯାହା କର୍ମଚାରୀଙ୍କ ସମୁଦାୟ ସିଟିସି (CTC) ର ଅତିକମରେ ୫୦ ପ୍ରତିଶତ ହେବା ଉଚିତ୍। ନିୟମ ଅନୁଯାୟୀ, ଆପଣଙ୍କ CTC ରେ HRA କିମ୍ବା ଟ୍ରାଭେଲ୍ ଭଳି ଆଲାଉନ୍ସ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ଯଦି ଭତ୍ତା ୫୦ ପ୍ରତିଶତରୁ ଅଧିକ ହୁଏ, ତେବେ ଅତିରିକ୍ତ ରାଶି ଆପଣଙ୍କ ବେସିକ୍ ସାଲାରୀରେ ଯୋଡ଼ି ଦିଆଯାଇପାରେ। ଏହାଦ୍ୱାରା ବେସିକ୍ ସାଲାରୀ ବଢ଼ିବ, ଯାହାଫଳରେ ଗ୍ରାଚ୍ୟୁଇଟି ଏବଂ PF ବାବଦକୁ ମିଳୁଥିବା ଅର୍ଥ ମଧ୍ୟ ବଢ଼ିଯିବ।
ଶୀଘ୍ର ହେବ F&F
ଏବେ କମ୍ପାନୀଗୁଡ଼ିକ ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ (F&F) ରେ ୩୦ ରୁ ୬୦ ଦିନ ପର୍ଯ୍ୟନ୍ତ ସମୟ ଲଗାଇ ଦେଉଛନ୍ତି। ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ଇସ୍ତଫା ପରେ କିମ୍ବା ତାଙ୍କୁ କମ୍ପାନୀରୁ ବାହାର କରିଦେବା ପରେ କିମ୍ବା ତାଙ୍କର ଚୁକ୍ତିନାମା ଶେଷ ହେବା ପରେ, କମ୍ପାନୀକୁ ୨ଟି କାର୍ଯ୍ୟ ଦିବସ (୪୮ ଘଣ୍ଟା) ମଧ୍ୟରେ ତାଙ୍କର ଗ୍ରାଚ୍ୟୁଇଟି ଏବଂ ବକେୟା ଦରମା ପୈଠ କରିବାକୁ ପଡ଼ିବ।