ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏବଂ ତାଙ୍କ ପାର୍ଟି ମଧ୍ୟରେ ଏବେ ମତଭେଦ ତୀବ୍ର ହେବାରେ ଲାଗିଛି । ଆପ୍ ନେତାଙ୍କ ପକ୍ଷରୁ ରାଘବ ଚଡ୍ଡାଙ୍କ ବିରୋଧରେ ପଞ୍ଜାବ ପ୍ରସଙ୍ଗ ନ ଉଠାଉଥିବା ଅଭିଯୋଗ କରାଯାଇଛି । ଏହି ସବୁ ଅଭିଯୋଗ ମଧ୍ୟରେ ପଞ୍ଜାବ ପ୍ରସଙ୍ଗରେ ରାଘବ ଚଡ୍ଡା ଭିଡିଓ ଜାରି କରି ଜବାବ ଦେଇଛନ୍ତି ।
ସେଭିଡିଓରେ କହିଛନ୍ତି ଯେ, ଆପର ମୋର ସେହି ସାଥୀଙ୍କ ପାଇଁ ଯେଉଁମାନେ କହୁଛନ୍ତି ରାଘବ ଚଡ୍ଡା ପଞ୍ଜାବ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛନ୍ତି । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଏହା ଏକ ଛୋଟ ଟ୍ରେଲର । ପିକଚର ଏବେ ବାକି ରହିଛି । ସେ ଆଗକୁ କହିଛନ୍ତି, ପଞ୍ଜାବ ମୋ ପାଇଁ କେବଳ ଏକ ଚର୍ଚ୍ଚାର ବିଷୟ ନୁହେଁ । ଏହା ମୋର ଘର, ମୋର କର୍ତ୍ତବ୍ୟ, ମୋ ମାଟି ଏବଂ ମୋ ଆତ୍ମା ।
ଭିଡିଓରେ ଏହି ପ୍ରସଙ୍ଗରେ ଦେଲେ ଜବାବ
ରାଘବ ଚଡ୍ଡା ପ୍ରସଙ୍ଗ ନ ଉଠାଇବା ଅଭିଯୋଗ ଉପରେ ସେହି ସବୁ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି, ଯାହା ସେ ସଂସଦରେ ଉଠାଇଛନ୍ତି । ଏହି ପ୍ରସଙ୍ଗରେ କରତାର ସାହିବ ଓ ନନକାନା ସାହିବ ପାଇଁ କରିଡର, ପଞ୍ଜାବର କୃଷକଙ୍କ ପାଇଁ ଏମଏସପି ଦାବି, ପଞ୍ଜାବ ପାଇଁ କ୍ୟାନସର ଟ୍ରେନ ଓ ଦିଲ୍ଲୀ ସମେତ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ପରି ପ୍ରସଙ୍ଗ ସାମିଲ ।
ଏହା ବ୍ୟତୀତ, ଭିଡିଓରେ ରାଘବ ଚଡ୍ଡା ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦାବି, ପଞ୍ଜାବରେ ଜଳ ଅଭାବ, ଚାଷୀଙ୍କ ବିଭିନ୍ନ ଦାବି, ପଞ୍ଜାବରେ ଭୂତଳ ଜଳ ହ୍ରାସ, ସହିଦ ଭଗତ ସିଂହଙ୍କ ପାଇଁ ଭାରତ ରତ୍ନ ଦାବି, ନଦୀ ପୁନରୁଦ୍ଧାର ଏବଂ ପଞ୍ଜାବର ଜଳ ଉପଲବ୍ଧତା, ମହାରାଜା ରଣଜିତ ସିଂହଙ୍କ ପାଇଁ ରାଜ ସିଂହାସନ ଦାବି ଆଦି ପ୍ରସଙ୍ଗଗୁଡ଼ିକ ମଧ୍ୟ ଉଲ୍ଲେଖ କରିଛନ୍ତି।
ସେ ପଞ୍ଜାବକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ପଞ୍ଜାବ ପାଇଁ ପାଣ୍ଠି ଜାରି କରିବା ଏବଂ ଆନନ୍ଦପୁର ସାହିବକୁ ଏକ ଐତିହ୍ୟ ସହର ଭାବରେ ବିକଶିତ କରିବା ଦାବି ଭଳି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। ସେ ପଞ୍ଜାବର ବିକାଶରେ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିବେଦନ କରିଥିଲେ।