ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି ପରେ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ଚଳିତ ଶିକ୍ଷାବର୍ଷରୁ ମେଡିକାଲ, ଇଞ୍ଜିନିୟରିଂ ସହ ଅନ୍ୟାନ୍ୟ ପ୍ରଯୁକ୍ତି ଓ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସଂରକ୍ଷଣ ନୀତି ଲାଗୁ ହେବ।
କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମୋହର ପଡ଼ିବା ପରେ ମନ୍ତ୍ରୀ କହିଛନ୍ତି, ଯଦିଓ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି, ତଥାପି ନୂଆ ନୀତିକୁ କାର୍ଯ୍ୟକାରିତା କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବ। ଏହା ଦ୍ୱାରା ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଲାଭାନ୍ଵିତ୍ୱ ହେବେ।
ନୂତନ ବ୍ୟବସ୍ଥା ଅନୁସାରେ, ଅନୁସୂଚିତ ଜନଜାତି (ST) ପାଇଁ ୨୨.୫୦%, ଅନୁସୂଚିତ ଜାତି (SC) ପାଇଁ ୧୬.୨୫% ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC/OBC) ପାଇଁ ୧୧.୨୫% ସଂରକ୍ଷଣ ରହିବ। ଏହି ସଂରକ୍ଷଣ ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ଟେକ୍ନିକାଲ୍ କୋର୍ସରେ ନାମଲେଖା ସମୟରେ ଲାଗୁ ହେବ।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ନୂତନ ସରକାର ଆସିବା ପରେ SC, ST ଓ OBC ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ଆଗକୁ ବଢ଼ାଯାଇଛି। ଏହାସହ ଆଗାମୀ ଦିନରେ ସିଟ ସଂଖ୍ୟା ବୃଦ୍ଧି କରାଯିବାକୁ ମଧ୍ୟ ଯୋଜନା ରହିଛି। ଏଥିସହ ସେ ପୂର୍ବତନ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପୂର୍ବରୁ SC, ST ଓ OBC ଛାତ୍ରଛାତ୍ରୀଙ୍କ ଅଧିକାର ଠିକ୍ ଭାବେ ରକ୍ଷା ହୋଇନଥିଲା ଏବଂ ସଂରକ୍ଷଣ ନୀତିକୁ ସଠିକ୍ ଭାବେ ଲାଗୁ କରାଯାଇନଥିଲା। ଏହି ନୂଆ ନିଷ୍ପତ୍ତି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ସହ ସମାଜର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଆଗକୁ ଆଣିବାରେ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।