ଯାଜପୁର ସହରରେ ଗତକାଲି ରାତିରେ ଘଟିଥିବା ଗୁଳିକାଣ୍ଡ ଏବେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ଏଥିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ସୌମ୍ୟ ସାଗର ସାମଲଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଯାଜପୁର ଟାଉନ ଥାନା ଅନ୍ତର୍ଗତ କାଳିମେଘା ନିକଟରେ ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା। ସୌମ୍ୟ ଶୀତଳେଶ୍ୱର ଅଞ୍ଚଳରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ, ଅଚାନକ ଏକ ବାଇକରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ।
ଗୁଳି ଲାଗି ସେ ଘଟଣାସ୍ଥଳରେ ଗୁରୁତର ଭାବେ ଢଳିପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଓ ପରିବାର ଲୋକ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତଥାପି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଖବର ଆସିବା ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହି ଘଟଣା ପଛରେ କାହାର ହାତ ରହିଛି, କାହିଁକି ଏପରି ଆକ୍ରମଣ କରାଗଲା,ସେସବୁ ଏପର୍ଯ୍ୟନ୍ତ ରହସ୍ୟ ଘେରାରେ ରହିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ଦୁର୍ବୃତ୍ତ ଏକ ବାଇକରେ ଆସି ଗୁଳି ମାରିଥିବା ପ୍ରାଥମିକ ସୂଚନା ମିଳିଛି। ଯାଜପୁର ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସବୁ ପ୍ରମାଣ ସଂଗ୍ରହ କରି ତଦନ୍ତ ଜୋରଦାର କରିଛି। ଏଭଳି ଗୁଳିକାଣ୍ଡ ପରେ ଯାଜପୁର ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଦିନକୁ ଦିନ ବଢ଼ୁଥିବା ଅପରାଧ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି। ଦୁର୍ବୃତ୍ତମାନଙ୍କୁ କେବେ ଧରାଯିବ ସେନେଇ ଲୋକମାନଙ୍କ ଦୃଷ୍ଟି ଏବେ ପୋଲିସ ତଦନ୍ତ ଉପରେ ରହିଛି।
ଅଧିକ ପଢନ୍ତୁ: ଗଞ୍ଜାମରେ ପୁଣି ଆତଙ୍କ; ସୁନା ଦୋକାନୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି