ବଲାଙ୍ଗିର/କଳାହାଣ୍ଡି: ରାଜ୍ୟରେ ଅସହ୍ୟ ତାତିକୁ ଗୁଳୁଗୁଳିଆ । ଗରମରେ ଘରୁ ବାହାରିବା କଷ୍ଟକର । କିନ୍ତୁ ଅପରାହ୍ନ ହେଲେ ମନରେ କାଳବୈଶାଖୀ ଓ କୁଆପଥର ବର୍ଷର ଛନକା । ପ୍ରତିଦିନ ଏଭଳି ସ୍ଥିତିର ସାମ୍ନା କରୁଛନ୍ତି ରାଜ୍ୟବାସୀ । ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । ଘର ଛପର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ ହୋଇଛି ।
ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି । ଜିଲ୍ଲା ପାଟଣାଗଡ଼ରେ କୁଆପଥର ବର୍ଷା କାଶ୍ମୀର ଭ୍ରମ ସୃଷ୍ଟି କରିଛି । ପାଞ୍ଚରୁ ସାତଟି ଗ୍ରାମରେ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି । କୁଆପଥର ଯୋଗୁଁ ରାସ୍ତା ମଧ୍ୟ ଦିଶୁ ନାହିଁ । ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ କୁଆପଥର ବର୍ଷା ହୋଇଛି । ଜାତୀୟ ରାଜପଥ-୧୩୦ରେ କୁଆପଥର ଜମି ରହି ଥିବାରୁ ଯାନାବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି ।
କୁଆପଥର ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏମିତିକି ଘରର ଛପର ଭାଙ୍ଗି ଘରେ ଭିତରେ କୁଆପଥର ବର୍ଷା ହୋଇଛି । ଫଳରେ ଲୋକେ ଭୟରେ ଘରୁ ବାହାରି ଚାଲି ଯାଇଛନ୍ତି । କୁଆପଥର ମାଡ଼ରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ଛପର ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।