ଭୁବନେଶ୍ୱର: ଓଡିଶା ପୋଲିସ ପାଇଁ ଆସୁଛି ଗର୍ବର ମୁହୂର୍ତ୍ତ। ରାଜ୍ୟ ପୋଲିସ ଖୁବଶୀଘ୍ର ଭାବେ ପାଇବାକୁ ଯାଉଛି ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ‘ପ୍ରେସିଡେଣ୍ଟ କଲର୍ ଆୱାର୍ଡ’। ଏହି ଗୌରବମୟ ସମ୍ମାନ ଦେବା ପାଇଁ ନିଜେ ଓଡ଼ିଶା ଆସିବେ ଭାରତର ରାଷ୍ଟ୍ରପତି। ଏହାକୁ ନେଇ ପୋଲିସ ବିଭାଗରେ ଉତ୍ସାହ ଓ ପ୍ରସ୍ତୁତି ଜୋରଦାର ହୋଇପଡ଼ିଛି।
‘ପ୍ରେସିଡେଣ୍ଟ କଲର୍ ଆୱାର୍ଡ’ ହେଉଛି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସାମରିକ ୟୁନିଟ୍, ପୋଲିସ ବଳ କିମ୍ବା ତାଲିମ ପ୍ରତିଷ୍ଠାନକୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଦୀର୍ଘଦିନ ଧରି ଦେଶସେବା, ସାହସିକତା, ଶୃଙ୍ଖଳା ଓ ପ୍ରଫେସନାଲିଜ୍ମର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହା ଦିଆଯାଏ। ଏହା କେବଳ ଏକ ପୁରସ୍କାର ନୁହେଁ, ବରଂ ଏକ ଐତିହାସିକ ପରିଚୟ ଓ ଗୌରବର ପ୍ରତୀକ ଭାବେ ମନାଯାଏ।
ଏହି ସମ୍ମାନ ସହ ଏକ ଆନୁଷ୍ଠାନିକ ପତାକା ମଧ୍ୟ ପ୍ରଦାନ କରାଯାଏ, ଯାହା ସଂସ୍ଥାର ଉତ୍କର୍ଷତାକୁ ପ୍ରତିବିମ୍ବିତ କରେ। ସେହିପରି, ପୋଲିସ ଅଧିକାରୀମାନେ ଏହାର ପ୍ରତୀକ ଭାବରେ ନିଜ ୟୁନିଫର୍ମର ବାମ ପାର୍ଶ୍ୱରେ ବିଶେଷ ବ୍ୟାଜ୍ ପିନ୍ଧିବେ, ଯାହା ସେମାନଙ୍କ ସେବାର ଗରିମାକୁ ଆହୁରି ବଢ଼ାଇବ।
ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ମୁଖ୍ୟାଳୟରେ ଚାଲିଛି ଜୋରଦାର ପ୍ରସ୍ତୁତି। ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୋଲିସ ସେବା ଭବନ ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ହୋଇଥିବା ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ପ୍ରସ୍ତୁତି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଏଡିଜି ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି କମ୍ୟୁନିକେସନ ଦୟାଲ ଗଙ୍ଗୱାର, ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ ପଣ୍ଡା, ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସହିତ ଅନ୍ୟାନ୍ୟ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ।
ଓଡିଶା ପୋଲିସ ପାଇଁ ଏହି ସମ୍ମାନ କେବଳ ଏକ ଉପଲବ୍ଧି ନୁହେଁ, ବରଂ ଆଗାମୀ ଦିନରେ ଅଧିକ ଦୃଢ଼ତା ସହ କାର୍ଯ୍ୟ କରିବାକୁ ଏକ ନୂତନ ପ୍ରେରଣା। ଏହା ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ରାଜ୍ୟସଭାରେ ଓଡ଼ିଆ ଭାଷାର ଝଲକ; ଓଡ଼ିଶାରୁ ମନମୋହନ, ଦିଲ୍ଲୀପ ଓ ସଂତୃପ୍ତ ନେଲେ ଶପଥ