ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଇଟାଲୀ କୋର୍ଟରୁ ବଡ଼ ଝଟକା ଲାଗିଛି। କୋର୍ଟ ୨୦୧୭ ରୁ ୨୦୨୪ ମଧ୍ୟରେ ବୃଦ୍ଧି କରାଯାଇଥିବା ସବସ୍କ୍ରିପସନ୍ ମୂଲ୍ୟକୁ ବେଆଇନ ଘୋଷଣା କରିଛନ୍ତି। ଏହା ସହିତ କମ୍ପାନୀକୁ ୟୁଜର୍ସମାନଙ୍କ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ସବସ୍କ୍ରାଇବର୍ସଙ୍କୁ ଆଶ୍ୱସ୍ତି ଦେଇପାରେ ଏବଂ ଓଟିଟି ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏହା ଏକ ବଡ଼ ସନ୍ଦେଶ।
କୋର୍ଟଙ୍କ ନିଷ୍ପତ୍ତି କ’ଣ କହୁଛି?
ରଏଟର୍ସର ରିପୋର୍ଟ ଅନୁସାରେ, ଇଟାଲୀର ରୋମ୍ କୋର୍ଟ ନେଟଫ୍ଲିକ୍ସ ବିରୋଧରେ ରାୟ ଶୁଣାଇ କହିଛନ୍ତି ଯେ କମ୍ପାନୀ କୌଣସି ଠୋସ୍ କାରଣ ନଦର୍ଶାଇ ବାରମ୍ବାର ସବସ୍କ୍ରିପସନ୍ ମୂଲ୍ୟ ବଢ଼ାଇଛି। ଉପଭୋକ୍ତା ଆନ୍ଦୋଳନର ଅଭିଯୋଗ ଉପରେ କୋର୍ଟ ଗ୍ରହଣ କରିଛନ୍ତି ଯେ ଏହି ପଦକ୍ଷେପ କଞ୍ଜୁମର କୋଡ୍ ବିରୋଧୀ। ଚୁକ୍ତିନାମାରେ ମୂଲ୍ୟ ବୃଦ୍ଧିର ସ୍ପଷ୍ଟ କାରଣ ଦିଆଯାଇ ନଥିଲା, ଯାହାଦ୍ୱାରା ୟୁଜର୍ସଙ୍କ ଅଧିକାର କ୍ଷୁଣ୍ଣ ହୋଇଛି। ଏହି ନିଷ୍ପତ୍ତି ପରେ ଏବେ ପ୍ରଭାବିତ ୟୁଜର୍ସମାନଙ୍କୁ ରିଫଣ୍ଡ ଏବଂ ବର୍ତ୍ତମାନର ପ୍ଲାନ୍ରେ ଆଶ୍ୱସ୍ତି ମିଳିବାର ରାସ୍ତା ସଫା ହୋଇଯାଇଛି।
ୟୁଜର୍ସମାନଙ୍କୁ କେତେ ଟଙ୍କା ମିଳିବ?
ରଏଟର୍ସର ରିପୋର୍ଟ ଅନୁସାରେ ଏହି ମାମଲାରେ ଓକିଲମାନଙ୍କ କହିବା କଥା ଯେ, ନେଟଫ୍ଲିକ୍ସ ୨୦୧୭, ୨୦୧୯, ୨୦୨୧ ଏବଂ ୨୦୨୪ରେ ପ୍ରିମିୟମ୍ ପ୍ଲାନ୍ର ମୂଲ୍ୟ ବଢ଼ାଇଥିଲା, ଯାହାଦ୍ୱାରା ମୋଟାମୋଟି ଭାବେ ମାସକୁ ପ୍ରାୟ ୮ ୟୁରୋ ବୃଦ୍ଧି ପାଇଥିଲା। ସେହିପରି ଷ୍ଟାଣ୍ଡାର୍ଡ ପ୍ଲାନ୍ରେ ମାସକୁ ପ୍ରାୟ ୪ ୟୁରୋ ବୃଦ୍ଧି ଘଟିଥିଲା। ଏଭଳି ସ୍ଥିତିରେ ଯେଉଁ ୟୁଜର୍ସ ୨୦୧୭ ରୁ କ୍ରମାଗତ ଭାବେ ସବସ୍କ୍ରିପସନ୍ ନେଉଛନ୍ତି, ସେମାନଙ୍କୁ ପ୍ରାୟ ୫୦୦ ୟୁରୋ ଅର୍ଥାତ୍ ପ୍ରାୟ ୫୩ ହଜାର ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ ମିଳିପାରେ। ଷ୍ଟାଣ୍ଡାର୍ଡ ପ୍ଲାନ୍ ୟୁଜର୍ସଙ୍କୁ ପ୍ରାୟ ୨୫୦ ୟୁରୋ ପର୍ଯ୍ୟନ୍ତ ଫେରସ୍ତ ମିଳିପାରେ।
ନେଟଫ୍ଲିକ୍ସକୁ ଚଲାଇବାକୁ ହେବ ସୂଚନା ଅଭିଯାନ
କୋର୍ଟ କେବଳ ରିଫଣ୍ଡ ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି, ବରଂ ନେଟଫ୍ଲିକ୍ସକୁ ୯୦ ଦିନ ଭିତରେ ଏକ ପବ୍ଲିକ୍ ସୂଚନା ଅଭିଯାନ ଚଲାଇବାକୁ ମଧ୍ୟ କହିଛନ୍ତି। କମ୍ପାନୀକୁ ନିଜ ୱେବସାଇଟ୍ ଏବଂ ଦେଶର ପ୍ରମୁଖ ଖବରକାଗଜଗୁଡ଼ିକରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ, ଯାହାଦ୍ୱାରା ସମସ୍ତ ପୁରୁଣା ଓ ନୂଆ ୟୁଜର୍ସ ନିଜ ଅଧିକାର ବୁଝିପାରିବେ। ଯଦି କମ୍ପାନୀ ଏପରି ନକରେ, ତେବେ ତାକୁ ଦୈନିକ ୭୦୦ ୟୁରୋ ଜରିମାନା ଦେବାକୁ ପଡ଼ିବ। ୟୁଜର୍ସମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ମନେ କରାଯାଉଛି।
ନେଟଫ୍ଲିକ୍ସ ପାଖରେ କ’ଣ ରାସ୍ତା ଅଛି?
ନେଟଫ୍ଲିକ୍ସ ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରି କହିଛି ଯେ ସେ ଏହା ବିରୋଧରେ ଅପିଲ୍ କରିବ। କମ୍ପାନୀ ଦାବି କରିଛି ଯେ ତା’ର ନିୟମ ସବୁବେଳେ ସ୍ଥାନୀୟ ଆଇନ ଅନୁଯାୟୀ ରହିଆସିଛି ଏବଂ ସେ ନିଜ ୟୁଜର୍ସଙ୍କ ଅଧିକାରକୁ ଗମ୍ଭୀରତାର ସହ ନିଅନ୍ତି। ଇଟାଲୀରେ ନେଟଫ୍ଲିକ୍ସର ଲକ୍ଷ ଲକ୍ଷ ୟୁଜର୍ସ ଅଛନ୍ତି, ଏଭଳି ପରିସ୍ଥିତିରେ ଯଦି ବହୁ ସଂଖ୍ୟାରେ ଲୋକ ରିଫଣ୍ଡ କ୍ଲେମ୍ କରନ୍ତି, ତେବେ କମ୍ପାନୀ ଉପରେ ଭାରି ଆର୍ଥିକ ପ୍ରଭାବ ପଡ଼ିପାରେ। ଆଗାମୀ ସମୟରେ ଏହି ମାମଲା ଓଟିଟି ଇଣ୍ଡଷ୍ଟ୍ରି ପାଇଁ ଏକ ଉଦାହରଣ ପାଲଟିପାରେ।
ଚୀନ ଉପରେ ଭାରତର କଡା ପ୍ରହାର, ଏପ୍ରିଲ ୧ରୁ ବ୍ୟାନ ହୋଇପାରେ ଚାଇନା ସିସିଟିଭି କ୍ୟାମେରା