ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ସିଷ୍ଟମ୍ ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମ ନିକଟରେ, ଗୋପାଳପୁର ଓ ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଓ ନୟାଗଡ଼ କଲେକ୍ଟରଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, “ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ବିଭାଗ ସଜାଗ ରହିଛି ଏବଂ ରିଅଲ୍-ଟାଇମ୍ ମନିଟରିଂ ଚାଲିଛି।”
କେଉଁଠି କେତେ ସତର୍କତା?
IMD ସେପ୍ଟେମ୍ବର ୨୪ ସକାଳ ୮:୩୦ ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡା, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୭.୯ ମିମି ବର୍ଷା ହୋଇଥିବା ବେଳେ କୋରାପୁଟର ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିମି ବର୍ଷା ରେକର୍ଡ ହୋଇଛି। ଜୟପୁର (୧୬୧.୬ ମିମି), ଗୁଣୁପୁର (୧୬୦ ମିମି), ମୋହନା (୧୪୫ ମିମି), ବୋରିଗୁମ୍ମା (୧୩୮.୨ ମିମି) ଓ ଟେଣ୍ଟୁଳିଖୁଣ୍ଟି (୧୩୮ ମିମି)ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।
ସରକାରଙ୍କ ପ୍ରସ୍ତୁତି
ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୩ଟି ODRAF ଟିମ୍ ମୁତୟନ କରାଯାଇଥିବା ବେଳେ ଛତ୍ରପୁରରେ ଆଉ ୯ଟି ଟିମ୍ ଷ୍ଟାଣ୍ଡବାଇରେ ରହିଛି। ସମସ୍ତ ବନ୍ଦରରେ ଲୋକାଲ୍ କସନାରୀ ସିଗ୍ନାଲ୍-୩ ଜାରି କରାଯାଇଛି ଏବଂ ସମୁଦ୍ରରେ ୫୫ରୁ ୬୫ କିମି ବେଗର ପବନ ସହ ଦମକା ପବନ ୭୫ କିମି ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି।
ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳ, ପାହାଡ଼ିଆ ଜିଲ୍ଲା ଓ ଭୂସ୍ଖଳନପ୍ରବଣ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।