ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ସଦନ ରାଜ୍ୟସଭାରେ ଓଡ଼ିଶାର ପ୍ରତିନିଧିତ୍ୱକୁ ଆହୁରି ଦୃଢ଼ କରି ତିନି ଜଣ ନୂତନ ସାଂସଦ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ଶପଥ ନେଇ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର ନିଜର ସଂସଦୀୟ ଯାତ୍ରାକୁ ଆରମ୍ଭ କରିଛନ୍ତି। ଏହା ଓଡ଼ିଆ ଭାଷା ପ୍ରତି ସମ୍ମାନ ଓ ଗର୍ବର ଏକ ସ୍ପଷ୍ଟ ପ୍ରତିଛବି ଭାବେ ଦେଖାଯାଇଛି।
ସୂଚନା ଅନୁସାରେ, ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ଜିତିଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନିର୍ବାଚିତ ହୋଇଛନ୍ତି। ତେବେ ସୁଜିତ କୁମାର ବର୍ତ୍ତମାନ ଆସାମ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଫେରିଲେ ପରେ ଶପଥ ନେବେ ବୋଲି ଜଣାପଡ଼ିଛି।
ରାଜ୍ୟସଭାରେ ଶପଥ ଗ୍ରହଣ ସମୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ରାଜ୍ୟରେ ଖୁସିର ମାହୋଲ ଦେଖାଯାଇଛି। ନୂତନ ସାଂସଦମାନଙ୍କର ଏହି ଶପଥଗ୍ରହଣ ସହ ରାଜ୍ୟସଭାରେ ଓଡ଼ିଶାର ଭୂମିକା ଆହୁରି ସକ୍ରିୟ ହେବାର ଆଶା କରାଯାଉଛି। ଲୋକଙ୍କ ସମସ୍ୟା ଓ ରାଜ୍ୟର ହିତକୁ ସଦନରେ ଜୋରଦାର ଭାବେ ଉଠାଇବେ ବୋଲି ସାଧାରଣ ଲୋକ ଆଶା ବ୍ୟକ୍ତ କରିଛନ୍ତି।
ଓଡ଼ିଶା ସହିତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନେ ମଧ୍ୟ ଏହି ଅବସରରେ ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ଓ ତାମିଲନାଡୁର ସାଂସଦମାନେ ମଧ୍ୟ ଏହି ପର୍ଯ୍ୟାୟରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ଜାତୀୟ ରାଜନୀତିର ଅଭିଜ୍ଞ ବ୍ୟକ୍ତିତ୍ୱ ବି ଆଜି ଶପଥ ନେଇଛନ୍ତି। ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେ ନେତା ତିରୁଜି ସେଭା ମଧ୍ୟ ଶପଥ ଗ୍ରହଣ କରି ସଂସଦୀୟ କାର୍ଯ୍ୟରେ ଯୋଗଦେଇଛନ୍ତି।