ଭୁବନେଶ୍ୱର: ଆଜାଦନଗର ବିସ୍ଫୋରଣ ଘଟଣାର ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ତଦନ୍ତ କରିବ । ବୋମା ତିଆରିରେ ଶକ୍ତିଶାଳୀ ବିସ୍ଫୋରକ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ଏନ୍ଆଇଏ ହାତକୁ ତଦନ୍ତଭାର ନ୍ୟସ୍ତ କରାଯାଇଛି । ଆରଡିଏକ୍ସ କାହିଁକି ବ୍ୟବହାର କରାଯାଇଥିଲା, ଏଥିରେ ଆତଙ୍କବାଦୀ ଲିଙ୍କ୍ ରହିଛି କି ନାହିଁ ଯାଞ୍ଚ କରିବ ଏନ୍ଆଇଏ ।
ଗତ ଜାନୁଆରୀ ୨୭ ତାରିଖ ଅପରାହ୍ନ ସମୟରେ ଏୟାରଫିଲ୍ଡ ଥାନା ନିୟୁ ଆଜାଦନଗରରେ ରେହନୁମା ମଞ୍ଜିଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସେହନୱାଜ ମଲ୍ଲିକ, ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ । ଫେବ୍ରୁଆରୀ ୪ ତାରିଖରେ, ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହନୱାଜ ମଲ୍ଲିକର ମୃତ୍ୟୁ ହୋଇଥିଲା । ଏହା ପରେ ତାର ମାଆଙ୍କ ପ୍ରାଣ ହରାଇଥିଲେ । ସେହନୱାଜ ନାମରେ ୭ଟି ଅପରାଧିକ ମାମଲା ରହିଛି । ସେ ଜାମିନରେ ଜେଲରୁ ମୁକୁଳିଥିଲା । ସେହନୱାଜ ନିଜ ମା ଏବଂ ବାନ୍ଧାବୀ ସହିତ ପ୍ରଥମ ମହଲାରେ ଭଡ଼ାରେ ରହୁଥିଲା । ଘରର ମାଲିକ ରହୁନଥିବାରୁ ତାହାର ସୁଯୋଗ ନେଇ ସେହନୱାଜ ଛାତ ଉପରେ ବୋମା ତିଆରି କରୁଥିଲା । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା ।
ଏହି ମାମଲାରେ ପୂର୍ବରୁ ମଧ୍ୟ ଏନ୍ଆଇଏ ତଦନ୍ତ କରିଥିଲା । ସେହନୱାଜର ବାନ୍ଧବୀ ଏବଂ ସାଙ୍ଗ ଏବେ ନଜରରେ ରହିଛନ୍ତି । ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଉଛି ।
ଆରଡିଏକ୍ସ କ’ଣ ?
ଆରଡିଏକ୍ସ ଏକ ଶକ୍ତିଶାଳୀ ବୋମା ବିସ୍ଫୋରକ ସାମଗ୍ରୀ । ବିଶେଷ କରି ଆତଙ୍କବାଦୀ ଏବଂ ମାଓବାଦୀମାନେ ଏହାକୁ ଅଧିକ ବ୍ୟବହାର କରିଥାଆନ୍ତି । ବଡ଼ ବଡ଼ ବିସ୍ଫୋରଣ ପାଇଁ ଆତଙ୍କାବାଦୀମାନେ ଆରଡିଏକ୍ସ ବ୍ୟବହାର କରନ୍ତି ।