ନୂଆଦିଲ୍ଲୀ: ପୁଣି ଥରେ ତେଲେଙ୍ଗାନାରେ ପୁଅ ପାଇଁ ଯାଇଛି ଝିଅର ଜୀବନ । ସମ୍ପତ୍ତି ବଞ୍ଚାଇବାକୁ ଯାଆଁଳା ଝିଅକୁ ହତ୍ୟା । ଝିଅ ବିବାହରେ ସବୁ ଟଙ୍କା ଖର୍ଚ୍ଚ ହୋଇଥାଆନ୍ତା ବୋଲି କୂଅକୁ ଠେଲି ଦେଲା ବାପା । ତେଲେଙ୍ଗାନାର କରୀମନଗର ଅଞ୍ଚଳରୁ ଆସିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଖବର । ପୋଲିସ ବାପା ସମେତ ପରିବାର ୪ ଜଣଙ୍କୁ ଗିରଫ କରିଛି । ନିକଟରେ ମଧ୍ୟ ୱାରଙ୍ଗଲ ସହରରେ ପୁଅ ପାଇଁ ୨ ଝିଅ ଏବଂ ସ୍ତ୍ରୀକୁ ହତ୍ୟା କରିଥିଲା ।
କରୀମନଗର ଗ୍ରାମୀଣ ସର୍କିଲ ଇନସ୍ପେକ୍ଚର ଏ. ନିରଞ୍ଜନ ରେଡ୍ଡୀଙ୍କ ମୁତାବକ,ଶ୍ରୀଶୈଲମ ନାମକ ବ୍ୟକ୍ତି ତାଙ୍କ ବାପା, ମାଆ ଏବଂ ଛୋଟ ଭାଇ ସହିତ ମିଶି ତାଙ୍କର ୨ଟି ଯାଆଁଳା ଝିଅଙ୍କୁ ହତ୍ୟା କରିଛନ୍ତି । ନିଜର ସମ୍ପତ୍ତି ବଞ୍ଚାଇବାକୁ ପୁରା ପରିବାର ଦୁଇଟି ନିଷ୍ପାପ ଶିଶୁଙ୍କର ପ୍ରାଣ ନେଇଛି ।
ଶ୍ରୀଲୈମ ଜଣେ ଉଚ୍ଚ ଶିକ୍ଷିତ । ସେ କମ୍ପ୍ୟୁଟର ଅପରେଟର୍ ଭାବେ କାର୍ୟ୍ୟ କରୁଥିଲା । ୨୦୨୦ ମସିହାରେ ମୋନିକା ନାମକ ଯୁବତୀଙ୍କ ସହିତ ବିବାହ ହୋଇଥିଲା । ବିବାହର ଦୁଇ ବର୍ଷ ପରେ ୨୦୨୨ରେ ତାଙ୍କ ପତ୍ନୀ ଗର୍ଭବତୀ ହୋଇଥିଲେ । ଗର୍ଭରେ କନ୍ୟା ଭ୍ରୁଣ ଥିବା ଜାଣି ବାରମ୍ବାର ପରିବାର ତାଙ୍କ ଉପରେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲା । କିନ୍ତୁ ମୋନିକା କାହା କଥାକୁ ନ ଶୁଣି ଦୁଇଟି ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ।
୨ କୋଟି ସମ୍ପତ୍ତିର ମାଲିକ
ଶ୍ରୀଶୈଲମଙ୍କ ପରିବାର ପ୍ରାୟ ୨ କୋଟି ସମ୍ପତ୍ତିର ମାଲିକ । ଝିଅ ବିବାହ କଲେ ସେମାନଙ୍କ ବିବାହର ଟଙ୍କା ଖର୍ଚ୍ଚ ହେବା ସହିତ ସମ୍ପତ୍ତିରୁ ଭାଗ ନେବେ ବୋଲି ପରିବାର ଝିଅକୁ ପସନ୍ଦ କରୁନଥିଲେ । ଏହାକୁ ନେଇ ମୋନିକା ଏବଂ ଶ୍ରୀଶୈଲମଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୁଏ । ଏମିତିକି ମଝିରେ ପତ୍ନୀକୁ ଝଗଡ଼ା କରି ଶ୍ୱଶୁର ଘରକୁ ପଠାଇ ଦେଇଥିଲା ।
୨ ଝିଅଙ୍କୁ ହତ୍ୟା କରିବାକୁ ଯୋଜନା
ପୁଣି ଥରେ ସେମାନେ ଘରକୁ ଫେରିବା ପରେ ପରିବାର ୨ ଝିଅଙ୍କୁ ଜୀବନରୁ ମାରିଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏପ୍ରିଲ ୩ ତାରିଖରେ ଶ୍ରୀଶୈଲମ ଅପରାହ୍ନ ସମୟରେ ସ୍ତ୍ରୀକୁ ମଟନ ବନାଇବାକୁ କହି ଝିଅମାନଙ୍କୁ ଖେଳାଇବାକୁ ନିକଟସ୍ଥ କ୍ଷେତକୁ ନେଇଗଲା । ଅପରାହ୍ନ ସମୟରେ କ୍ଷେତରେ କେହି ନ ଥିବାରୁ ସୁଯୋଗ ଦେଖି ପ୍ରଥମେ ଗୋଟିଏ ଝିଅ ଗୀତାନ୍ୱିକାକୁ କୂଅକୁ ଧକ୍କା ଦେଇଥିଲା । ଝିଅର ତୁରନ୍ତ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଆଉ ଜଣେ ଝିଅ ଗୀତାଂଶୀକୁ ମଧ୍ୟ ପାଣିକୁ ଠେଲି ଦେଇଥିଲା । ସେ ଝିଅଟି କିଛି ସମୟ ପାଣିରେ ଛଟପଟ ହେବା ପରେ ତାର ମଧ୍ୟ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।
ଏହା ପରେ ବାପା ଶ୍ରୀଶୈଲମ ଝିଅ ମାନଙ୍କୁ ବଞ୍ଚାଇବାକୁ ଉଦ୍ଧାର କରିବାକୁ ମିଛରେ ନାଟକ କରି ଚିତ୍କାର କରିଥିଲା । ଚିତ୍କାର ଶୁଣି ମାଆ ମୋନିକା କ୍ଷେତକୁ ଦୌଡ଼ି ଆସିଲେ, ସେତେବେଳେ ସେ ଗୋଟିଏ ଝିଅକୁ କୂଅ ପାଖରେ ପଡ଼ିଥିବାର ଦେଖିଲେ ଏବଂ ଅନ୍ୟଟି ଏପର୍ୟ୍ୟନ୍ତ ନିଖୋଜ ଥିଲା। ଗ୍ରାମବାସୀ ଏବଂ ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ରଶି ବ୍ୟବହାର କରି ପିଲାମାନଙ୍କୁ ବାହାର କରିଥିଲେ।
ଗ୍ରାମବାସୀମାନେ ପ୍ରଥମେ ଶ୍ରୀଶୈଲମକୁ ସନ୍ଦେହ କରିଥିଲେ । ସେ ଘାସ କାଟିବାକୁ ଯାଇଥିବାବେଳେ ଝିଅମାନେ ପାଣିରେ ପଡ଼ିଯାଇଥିବା କହିଥିଲା । ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପ୍ରଥମେ ଶ୍ରୀଶୈଲମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ଶ୍ରୀଶୈଲମ, ବାପା ଅଶୋକ, ମାଆ ଲାବଣ୍ୟା ଏବଂ ଭାଇ ରାକେଶ ସହିତ ଫେରାର ହୋଇଯାଇଥିଲା ଚାରି ଜଣ ଅଭିଯୁକ୍ତ ଗୋପାଳପୁରର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବାବେଳେ ପୋଲିସ ସେମାନଙ୍କୁ ଠାବ କରି ଗିରଫ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ତେଲେଙ୍ଗାନାର ୱାରଙ୍ଗଲ ସହରରେ ମଧ୍ୟ ସମାନ ଘଟଣା ଘଟିଛି । ପୁଅ ପାଇଁ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅକୁ ସୁଇମିଂ ପୁଲରେ ବୁଡ଼ାଇ ବାପା ହତ୍ୟା କରିଛି । ସିଟିରେ ଏପରି ଘଟଣା ଘଟିଛି। ପ୍ରଥମେ ଗର୍ଭବତୀ ଓ ତାଙ୍କର ଦୁଇ ଝିଅ ଦୁର୍ଭାଗ୍ୟବଶତଃ ସୁଇମିଂ ପୁଲରେ ବୁଡ଼ି ପ୍ରାଣ ହରାଇଥିବା ଆଶଙ୍କା କରାଯାଉଥିଲା। କିନ୍ତୁ ତଦନ୍ତ ପରେ ମହିଳାଙ୍କ ସ୍ୱାମୀ ହିଁ ୩ ଜଣଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ମୃତକ ଥିଲେ ୨୬ ବର୍ଷୀୟ ଫରହାତ ଓ ତାଙ୍କର ଦୁଇ ଝିଅ ୮ ବର୍ଷୀୟ ଉମେରା ଓ ୬ ବର୍ଷୀୟ ଆୟେଶା। ଅଭିଯୁକ୍ତ ହେଉଛନ୍ତି ଆଝାରୁଦ୍ଦିନ ।