ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡ଼କୋଲହା ଗ୍ରାମରେ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳିକା ଜଣକ ହେଲେ ମାଳିପୁର ଗ୍ରାମର ମାନଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ ସେନାପତି (୮) । ସେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ ।
ବଡ଼କୋଲହା ଗ୍ରାମର କାଳନ୍ଦୀ ଚରଣ ନାୟକଙ୍କ ଝିଅ ସୁଷମା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗ୍ରାମର ମାନଗୋବିନ୍ଦ ସେନାପତିଙ୍କୁ ବିବାହ କରିଥିଲେ । ସେ ନିଜ ଝିଅ ସହିତ ବାପ ଘରେ ରହୁଥିଲେ । ନାବାଳିକା ଜଣକ ବଡ଼କୋଲହା ଗ୍ରାମରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ଦୁଇ ଦିନ ତଳେ ଗାଁରେ ଅଷ୍ଟପ୍ରହରୀ ଚାଲୁଥିବାବେଳେ ରାତିରେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ନ ପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ପୋଲିସ ଏବଂ ସନ୍ଧାନୀ କୁକୁର ନିକଟସ୍ଥ ପୋଖରୀଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର କୌଣସି ସନ୍ଧାନ ମିଳିନଥିଲା ।
ଗତକାଲି ସନ୍ଧ୍ୟା ସମୟରେ କେନାଲ ପାଖ ବିଲରେ କିଆ ଉପରେ ରକ୍ତ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ରକ୍ତ ଦେଖିବା ପରେ ସନ୍ଦେହ ଘନୀଭୂତ ହୋଇଥିଲା । ଯେହେତୁ ଅଧିକ କିଆ ମାଡିଥିଲା ଅନ୍ଧାରରେ ଖୋଜା ଖୋଜି କରିବା ସମ୍ଭବ ହୋଇପାରିନଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ବ୍ରାହ୍ମଣୀ ନଦୀ କେନାଲ ନିକଟରେ ଝିଅର ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କେନାଲରୁ ନାବାଳିକାର ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହର ନାକ ଏବଂ କାନରୁ ରକ୍ତ ବାହାରୁଥିବା ଦେଖାଯାଇଛି ।
ଏହି ଘଟଣା ପରେ ସାରା ଗ୍ରାମରେ ହାଲ୍ଲାହୋଳି ପଡ଼ିଯାଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ନାବାଳିକାର ଅଜା ନିର୍ଦ୍ଦିଷ୍ଟ ଜଣେ ପଡ଼ୋଶୀଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି । ଉକ୍ତ ପଡ଼ୋଶୀ ସହିତ ତାଙ୍କର ଦୀର୍ଘଦିନ ହେବ ତିକ୍ତତା ଥିଲା । ସେ ମଧ୍ୟ ଛଅ ମାସ ତଳେ ନାତୁଣୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ତେଣୁ ସେ ହତ୍ୟା କରିଥିବା ପରିବାର କହିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଦେବା ସହିତ ଯାଞ୍ଚ ଆରମ୍ଭ କରିଛି । ପୋଲିସ ସମସ୍ତଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି ।