ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏକ ଆନ୍ତଃରାଜ୍ୟ ନିଶା କାରବାର ଗୋଷ୍ଠୀକୁ ଧରିବା ସହ ଏହାର ଜଣେ ମୁଖ୍ୟ ଯୋଗାଣକାରୀକୁ ଗିରଫ କରିଛି। ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଓଡ଼ିଶାର କନ୍ଧମାଳ ଜିଲ୍ଲାର ବାସିନ୍ଦା।
କିପରି ଧରାପଡ଼ିଲା ତସ୍କର:
ଅଧିକାରୀଙ୍କ କହିବା ଅନୁସାରେ, ଓଡ଼ିଶାର କନ୍ଧମାଳ ଜିଲ୍ଲା ନିବାସୀ ୨୮ ବର୍ଷୀୟ ଅଭିଯୁକ୍ତ ଆକାଶ କୁମାର ଦିଗାଲକୁ ରାଜ୍ୟର ବିଭିନ୍ନ ବନ ଅଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ତା’ର ଗତିବିଧି ଉପରେ ନଜର ରଖିବା ପରେ ଗିରଫ କରାଯାଇଥିଲା। ପୋଲିସ ତାକୁ ମାର୍ଚ୍ଚ ୨୮ ତାରିଖରେ ଦିଲ୍ଲୀ ନେଇ ଆସିଥିଲା ଏବଂ କଲ୍ୟାଣପୁରୀ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକ ମାମଲା ସମ୍ପର୍କରେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି।
ପୁରୁଣା ମାମଲାରୁ ମିଳିଲା ସଫଳତା:
ଦିଲ୍ଲୀ ପୋଲିସ ଜଣାଇଛି ଯେ, ଏକ ପୁରୁଣା ମାମଲାର ତଦନ୍ତ ସମୟରେ ଏହି ସଫଳତା ମିଳିଛି। ଗତ ମାର୍ଚ୍ଚ ୧୨ ତାରିଖରେ ପୋଲିସ ଗାଜିଆବାଦରୁ ଅକବର ଏବଂ ଫିରୋଜ ଖାନ ନାମକ ଦୁଇଜଣ ନିଶା ଯୋଗାଣକାରୀଙ୍କୁ ୨୧.୭ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଏବଂ ୪୬ ଗ୍ରାମ ସ୍ମାକ୍ ସହ ଗିରଫ କରିଥିଲା।
ପଚରାଉଚରାରୁ ହେଲା ଖୁଲାସା:
ଦିଲ୍ଲୀ ପୋଲିସ କହିଛି ଯେ, ପଚରାଉଚରା ସମୟରେ ଖାନ ପ୍ରକାଶ କରିଥିଲା ଯେ ଏହି ନିଷିଦ୍ଧ ସାମଗ୍ରୀଗୁଡ଼ିକ ଦିଗାଲଠାରୁ ଅଣାଯାଇଥିଲା। ଏହାପରେ ପୋଲିସ ତାକୁ ଗିରଫ କରିଥିଲା। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ଆନ୍ତଃରାଜ୍ୟ ଡ୍ରଗ୍ସ ତସ୍କରୀ ସିଣ୍ଡିକେଟ୍ର ପର୍ଦ୍ଦାଫାଶ କରିଥିଲା। ସେହି ସମୟରେ ପୋଲିସ ୧,୫୦୪ ଗ୍ରାମ ହେରୋଇନ ସହ ଜଣେ ସ୍ୱାମୀ-ସ୍ତ୍ରୀ ଏବଂ ଜଣେ ରିସିଭର ସମେତ ତିନିଜଣଙ୍କୁ ଗିରଫ କରିଥିଲା।