ମୟୁରଭଞ୍ଜ: ଜିଲ୍ଲାର ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକରେ ଥିବା ଘରୋଇ ବିଦ୍ୟାଳୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ସଫଳତା ମିଳିଛି । ଘଟଣାର ପ୍ରାୟ ସପ୍ତାହ ପରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଜଣ ଅଭିଯୁକ୍ତ ଦୁଇ ଭାଇ ଅଟନ୍ତି । ସେମାନେ ବିଦ୍ୟାଳୟ ସମ୍ମୁଖ ଘରର ରତିକାନ୍ତ ଜେନାଙ୍କ ପୁଅ ଶୁକଦେବ ଜେନା ଓରଫ୍ ବାପୁନ (୨୧) ଓ ସନ୍ୟାସୀ ଜେନା ଓରଫ୍ ଶନି (୧୯)। ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବାର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।
ଗତ ୨୦ ତାରିଖ ରାତିରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା କାଦମ୍ବିନୀ ରାଉତଙ୍କ ଦେହ ଖରାପ ହେବାରୁ ହଷ୍ଟେଲ ୱାର୍ଡେନ ସନ୍ୟାସୀ ଦାସ ତାଙ୍କୁ ବାଇକରେ ଏକ ନିକଟସ୍ଥ ଔଷଧାଳୟକୁ ଯାଉଥିଲେ । ବିଦ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ କେହି ଦୁର୍ବୁତ୍ତ ମରଣାନ୍ତ୍ରକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ବଡସାହି ଥାନା ମାଣତ୍ରି ଫାଣ୍ଡି ଅନ୍ତର୍ଗତ ଧନାପାଲ ଗ୍ରାମର ୱାର୍ଡେନ ସନ୍ୟାସୀ ଦାସଙ୍କୁ ମୃତ ଘୋଷଣା କରିଥିଲେ ।
ଅତିରିକ୍ତ ଏସପିଙ୍କ ସୂଚନା ମୁତାବକ, ଦୁଇ ଭାଇ ବାପୁନ ଓ ଶନି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ସହିତ ସମ୍ପର୍କରେ ରହି ପ୍ରାୟ ସମୟରେ ହଷ୍ଟେଲ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରୁଥିଲେ l ଅଧ୍ୟକ୍ଷା କାଦମ୍ବିନୀ ରାଉତ ଉଭୟଙ୍କୁ ବାରମ୍ବାର ତାଗିଦ କରୁଥିଲେ । ଦୁଇ ଭାଇ ପ୍ରତିଶୋଧ ପରାୟଣ ହୋଇ ଅଧ୍ୟକ୍ଷାଙ୍କ ଉପରେ ଆକ୍ରମଣ କରିଥିଲେ । ଅଧ୍ୟକ୍ଷାଙ୍କ ଉପରେ ନଜର ରଖି ଗତ ୨୦ ତାରିଖ ରାତିରେ ଆକ୍ରମଣ କରିଥିଲେ । ତେବେ ୱାର୍ଡେନ୍ ସେମାନଙ୍କୁ ଚିହ୍ନି ଦେବାରୁ ତାଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ । ତେବେ ଏଥିରେ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ସହଯୋଗ କରିଥିଲା । ସେ ଅଧ୍ୟକ୍ଷାଙ୍କ ଟିକିନିଖି ଖବର ଦୁଇ ଭାଇଙ୍କୁ ଦେଇଥିଲା ।
ତେବେ ଘଟଣା ପରଠାରୁ ଦୁଇ ଭାଇ ଫେରାର ହୋଇଯାଇଥିଲେ । ସେଠାରେ ଘଟଣା ସ୍ଥଳରେ କୌଣସି ସିସିଟିଭି ଫୁଟେଜ ନ ଥିବାରୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଏସପି ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ଅଜୟ ବାରିକ, ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ, ଏସଆଇ ସରୋଜ ବାରିକ, ଚିରଞ୍ଜୀବ ବିଶ୍ୱାଳ ଓ ରଣେନ୍ଦ୍ର ପ୍ରତାପ ସାମଲଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଦୁଇ ଭାଇ ବାଲେଶ୍ୱରରେ ଲୁଚି ଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏସଆଇ ସରୋଜ ଜେନାଙ୍କ ନେତୃତ୍ୱରେ ଏକ ଟିମ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଅଞ୍ଚଳ ଗସ୍ତ କରି ସେଠାରେ ଚଢ଼ାଉ କରି ଦୁଇ ଭାଇଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏଟ୍ କରିଛି ।