ଦେବଗଡ଼: ପିଲା ଜନ୍ମ ନ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲା ସ୍ୱାମୀ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ମହ୍ଲାରବାହାଳ ଗାଁରେ ଘଟିଛି ଏଭଳି ଅମାନୁଷିକ ଘଟଣା। ମୃତ ମହିଳା ହେଉଛନ୍ତି ଯଶୋବନ୍ତ ସାହୁଙ୍କ ପତ୍ନୀ ଲକ୍ଷ୍ମୀ ସାହୁ। ମହିଳାଙ୍କ ଭାଇ ମୁରଲୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି ।
ଗତ ୨୬ ବର୍ଷ ତଳେ ମେଣ୍ଢିପାଲି ଗାଁର ଲକ୍ଷ୍ମୀ ଏବଂ ମହ୍ଲାରବାହାଳ ଗ୍ରାମର ଯଶୋବନ୍ତୀଙ୍କ ମଧ୍ୟରେ ବିବାହ ହୋଇଥିଲା । କିନ୍ତୁ ଦୀର୍ଘ ବର୍ଷ ଧରି ସେମାନଙ୍କର କୌଣସି ପିଲା ହୋଇନଥିଲା । ଲକ୍ଷ୍ମୀଙ୍କର କୌଣସି ପିଲାଛୁଆ ନ ହେବାରୁ ଯଶୋବନ୍ତ ୩ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ଯଶୋବନ୍ତ ପ୍ରଥମ ସ୍ତ୍ରୀ ଲକ୍ଷ୍ମୀ ଉପରେ ଅକଥନୀୟ ନିର୍ଯାତନା ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଲକ୍ଷ୍ମୀ କିଛି ମାସ ପରେ ବାପ ଘରକୁ ପଳାଇଥିଲେ। ଗତ ରବିବାର ରାତିରେ ଗାଁ ପୋଖରୀ ନିକଟ ଚାଷଜମିରେ କିଛି ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ମାତ୍ର ଧାନ ଅମଳ ପରେ ଚାଷ ଜମିରେ କେହି ନିଆଁ ଲଗାଇଥିବେ ବୋଲି ଭାବି ଗୁରୁତ୍ୱ ଦେଇନଥିଲେ।
ତେବେ ସୋମବାର ସକାଳେ ବିଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଫାଣ୍ଡିକୁ ସୂଚନା ଦେଇଥିଲେ । ମୃତ ଦେହଟି ଲକ୍ଷ୍ମୀଙ୍କର ହୋଇଥିବା ଜଣାପଡ଼ିଥିଲା । ଲକ୍ଷ୍ମୀଙ୍କ ଭାଇ ମୁରଲୀ ସାହୁ ଯଶୋବନ୍ତଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ପୋଲିସ ଯଶୋବନ୍ତକୁ ଅଟକ ରଖିଛି। ଏସପି ଅନିଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଏସଡିପିଓ ରମେଶ ଚନ୍ଦ୍ର ମୋହାନା, ଫାଣ୍ଡି ଅଧିକାରୀ ବିଷ୍ଣୁପ୍ରିୟା ରଣା ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି I ଅନୁଗୁଳରୁ ସାଇଣ୍ଟିଫିକ ଟିମ୍ ଆସି ଛାନଭିନ୍ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ।