ପୁରୀ: ଯେଉଁଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା ଥିଲା ସେହି ଦିନ ପହଁଚିବାକୁ ଆଉ ମାତ୍ର ଗୋଟିଏ ରାତି ବାକି ରହିଛି । ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବା । ଯାହାକୁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ମାର୍ଚ୍ଚ ୨୫, ବୁଧବାର ମାହେନ୍ଦ୍ର ବେଳାରେ ଖୋଲିବ ରତ୍ନଭଣ୍ଡାର । ପର୍ଯ୍ୟାୟ କ୍ରମେ ରତ୍ନ ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ, ମାର୍ଚ୍ଚ ୨୫ ତାରିଖ, ଚୈତ୍ର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଗଣତି ହେବ । ଶୁଭବେଳା ୧୨ଟା ୧୨ରୁ ଗୋଟାଏ ୪୫ ମିନିଟ୍ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବା । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଠନ ହୋଇଥିବା ଗୋଟିଏ ନିରୀକ୍ଷଣ ଓ ଗୋଟିଏ କାର୍ଯ୍ୟବାହୀ ଟିମ୍ ନିୟୋଜିତ ହେବେ । ଏଥିରେ ଅଧିକୃତ ସେବକ, ଅଧିକାରୀ, ବଣିଆ, ଆରବିଆଇ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।
ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ ପ୍ରଭାବ ପଡ଼ିବ ନାହିଁ । ଶ୍ରଦ୍ଧାଳୁମାନେ ବାହାର କାଠରୁ ଦର୍ଶନ କରିପାରିବେ । ପର୍ବପର୍ବାଣୀ, ଛୁଟି ଦିନ ଏବଂ ନୀତି ବହୁଳ ଦିନ ଗଣତିମଣତି ବନ୍ଦ କରାଯିବ । ସେହିପରି ସମସ୍ତ ଗଣତିମଣତି ପ୍ରକ୍ରିୟାର ସ୍ୱଚ୍ଛତାର ସହିତ କରିବାକୁ ଭିଡ଼ିଓଗ୍ରାଫି କରାଯିବ । ସେହିପରି ପ୍ରତ୍ୟେକ ଦିନ ଟ୍ରେଜେରିରୁ ଚାବି ଅଣାଯିବା । ଗଣତି ଶେଷ ହେବା ପରେ ପୁନର୍ବାର ସେହିଦିନ ଟ୍ରେଜେରିରେ ଚାବି ଦାଖଲ କରାଯିବ ।
୧୯୭୮ ମସିହାରେ ହୋଇଥିବା ଗଣତିମଣତି ତାଲିକା ସହିତ ମେଳକ କରାଯିବା ୧୯୮୨ ଓ ୧୯୮୫ରେ ଅଳଙ୍କାର ଖର୍ଚ୍ଚକୁ ହିସାବକୁ ନିଆଯିବ । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।