କଟକ: କଟକ LIC ଅଫିସରେ ଅଗ୍ନିକାଣ୍ଡ। ମଙ୍ଗଳବାର ସକାଳେ କଟକର ଲିଙ୍କ ରୋଡରେ ଥିବା ଏକ ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଅଗ୍ନି ନିର୍ବାପନ କାର୍ଯ୍ୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ରିପୋର୍ଟ ଅନୁସାରେ, ଭୋର ସମୟରେ ପ୍ରଥମେ କୋଠାରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ଜରୁରୀକାଳୀନ ହେଲ୍ପଲାଇନ୍ ମାଧ୍ୟମରେ ସୂଚନା ପାଇବା ପରେ, ଅଗ୍ନିଶମବାହିନୀ ଟିମ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଚାଉଳିଆଗଞ୍ଜ ଏବଂ କଟକର ୟୁନିଟ୍ ସମେତ ଏକାଧିକ ଟିମକୁ ନିଅଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।
ନିଆଁକୁ ନିୟନ୍ତ୍ରଣ କରିବାରେ ମୋଟ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ, ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଆସବାବପତ୍ର ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଥିବା ସୂଚନା ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଗତ କିଛି ଦିନ ପୂର୍ବରୁ କଟକ ଏସ୍ସିବିରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୩ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୫ଜଣ ରୋଗୀ ଗୁରୁତର ହୋଇଥିଲେ। କମ୍ ଦିନର ବ୍ୟବଧାନ ପରେ ପୁଣି ଥରେ କଟକରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ସେହିପରି ରବିବାର ବିଳମ୍ବିତ ରାତିରେ ପୁରୀ ବସଷ୍ଟାଣ୍ଡରେ ବି ଅଗ୍ନିକାଣ୍ଡ ଘଟିଥିଲା। ବସଷ୍ଟାଣ୍ଡରେ ହୁ ହୁ ହେଇ ଜଳିଥିଲା ଯାତ୍ରୀବାହୀ ବସ୍। ଯାତ୍ରୀବାହୀ ବସରେ ରାତିରେ ଲାଗିଥିଲା ନିଆଁ । ତେବେ ଗୋଟିଏ ବସରୁ ଅନ୍ୟ ବସ୍ କୁ ବ୍ୟାପିବା ପୂର୍ବରୁ ନିଆଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିନେଇଥିଲା। ସୌଭାଗ୍ୟବଶତଃ ବସଟି ଫାଙ୍କା ଥିବାରୁ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା।