କଟକ/ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ପରିବହନ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ସହ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ମାର୍ଚ୍ଚ ୨୧ ଏବଂ ୨୨ ତାରିଖରେ ସାରା ରାଜ୍ୟରେ ବ୍ୟାପକ ଯାଞ୍ଚ ଦ୍ୱାରା ମୋଟର ଯାନ ଆଇନ ଉଲ୍ଲଙ୍ଘନ କରୁଥିବା ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି। ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଚ ସମୟରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ମୋଟ ୩,୧୫୩ଟି ଗାଡ଼ି ଚିହ୍ନଟ ହୋଇଛି ।
ମାର୍ଚ୍ଚ ୨୧ ତାରିଖରେ ବିନା ଡ୍ରାଇଭିଂ ଲାଇସେନ୍ସରେ ୧,୪୪୩ଟି ଗାଡ଼ି ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର-୧ରୁ ୧୦୪, ଝାରସୁଗୁଡ଼ା ୮୮, ବାଲେଶ୍ୱର ୭୮, ରାଉରକେଲା ୭୮, ନୂଆପଡ଼ା ୬୮, କେନ୍ଦ୍ରାପଡ଼ା ୬୭, କେନ୍ଦୁଝର ୬୨, କଟକ ୫୧ ଏବଂ ରାୟଗଡ଼ାରେ ୪୨ଟି ଗାଡ଼ି ଚିହ୍ନଟ ହୋଇଛି । ସେହିପରି ମାର୍ଚ୍ଚ ୨୨ ତାରିଖରେ ଏହି ସଂଖ୍ୟା ୧,୭୧୦କୁ ବୃଦ୍ଧି ପାଇଛି, ଯେଉଁଥିରେ ରାଉରକେଲା ୨୧୭, ବାଲେଶ୍ୱର ୯୮, ଭୁବନେଶ୍ୱର-୨ ୯୨, ନୟାଗଡ଼ ୮୬, ଭୁବନେଶ୍ୱର-୧ରୁ ୭୭, କେନ୍ଦୁଝର ୭୩, ନବରଙ୍ଗପୁର ୬୬, ନୂଆପଡ଼ା ୬୨ ଏବଂ କଟକ ଆରଟିଓ ୩୮ଟି ଗାଡ଼ି ଚିହ୍ନଟ କରିଥିଲେ । ଏଭଳି ନିୟମ ଉଲ୍ଲଙ୍ଘନକୁ ଗୁରୁତର ସହ ଗ୍ରହଣ କରି ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଅଭିଯାନ ସମୟରେ ଏହି ତନଖିକୁ ଆହୁରି କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି ।
ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଇବା ସହ ଅ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଯେପରିକି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୩,୧୫୭, ଦ୍ରୁତଗତି ପାଇଁ ୧,୫୫୮, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ପାଇଁ ୧୮୮, ଦୁଇ ଚକିଆରେ ଦୁଇରୁ ଅଧିକ ଯିବା ପରି ଟ୍ରାଫିକ ନିମୟ ଉଲ୍ଲଙ୍ଘନ ପାଇଁ ୨୮୨ ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି । ଏଥିସହ ମାଲବାହୀ ଓ ଯାତ୍ରୀବାହୀ ଯାନରେ କ୍ଷମତାଠାରୁ ଅଧିକ ଭାର ବହନ କରିବା ଏବଂ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିବା ଭଳି ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ ମଧ୍ୟ ଜରିମାନା ଜାରି ହୋଇଛି।
ଏନଫୋର୍ସମେଣ୍ଟ ସହିତ ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଇଛି । ରାଇରଙ୍ଗପୁର ଏବଂ ବଡବିଲରେ ସଚେତନ ଗାଡ଼ି ଚାଳକଙ୍କୁ ଫୁଲ ଏବଂ ଚକୋଲେଟ୍ ଦେଇ ଅଭିନନ୍ଦନ ଜଣାଇଛନ୍ତି ପରିବହନ ବିଭାଗ ଟିମ୍। ବଣାଇଗଡ଼ ବସ୍ ଷ୍ଟାଣ୍ଡରେ ଆଞ୍ଚଳିକ ପରିବହନ ଅଧିକାରୀ ରାଉରକେଲାଙ୍କ ଦ୍ଵାରା ବସ୍ ଚାଳକଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଆରଟି-2 ଙ୍କ ଦ୍ୱାରା ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଏହି ଅବସରରେ 6 ମହିଳା ଗାଡ଼ି ଚାଳକ ମଧ୍ୟ ଚକ୍ଷୁ ପରୀକ୍ଷା କରାଇଛନ୍ତି । ଯାଜପୁର ମହୋତ୍ସବରେ ପୋଲିସ ପ୍ରଶାସନର ସକ୍ରିୟ ସହଯୋଗରେ ଆରଟିଓ ଯାଜପୁରଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଲିଫଲେଟ୍ ଓ ହେଲମେଟ୍ ବଣ୍ଟନ ସହିତ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଯମରାଜ ଓ ଚିତ୍ରଗୁପ୍ତଙ୍କ ଭୂମିକାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତ୍ତାଗୁଡ଼ିକୁ ସରଳ ଓ ପ୍ରଭାବଶାଳୀ ଭାବେ କଳାକାରମାନେ ପ୍ରସ୍ତୁତ କରିଥିଲେ, ଯାହା ଜନସାଧାରଣଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଅନୁଗୋଳ ବଅଁରପାଳ ଛକରେ ଡ୍ରାଇଭରମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଡ଼ି ଚାଳକଙ୍କୁ ୬୨ଟି ପ୍ରାଥମିକ ଚିକିତ୍ସା କିଟ୍ ବଣ୍ଟନ କରାଯାଇଥିଲା। ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ପ୍ରଦାନ ବିଷୟରେ ସେମାନଙ୍କୁ ବୁଝା ଯାଇଥିଲା। ଏଥିସହ ବିଭିନ୍ନ ସ୍ଥାନରେ ସଡ଼କ ବ୍ୟବହାରକାରୀଙ୍କୁ ନିରାପଦ ଗାଡ଼ି ଚାଳନା, ହେଲମେଟ୍ ବ୍ୟବହାର ଏବଂ ବୈଧ ଲାଇସେନ୍ସର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା ।
ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ସୁରକ୍ଷିତ ଗାଡ଼ି ଚାଳନା କରିବାକୁ ସଡ଼କ ବ୍ୟବହାରକାରୀଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।