ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ମହିଳା ସଂରକ୍ଷଣ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତିରେ ଅଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଆଇନ ପ୍ରଣୟନ ହେବ । ଫଳରେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ଯଦି ଏହି ସଂଶୋଧିତ ବିଧେୟକ ପାରିତ ହୁଏ, ତେବେ ଲୋକସଭାରେ ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୧୬ ହୋଇଯିବ । ଏହି ଅନୁସାରେ ୩୩ ପ୍ରତିଶତ ସଂରକ୍ଷଣ ହିସାବରେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୨୭୩କୁ ବୃଦ୍ଧି ପାଇବ ।
ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରୁ ଉଭୟ ଗୃହରେ ପାରିତ ହୋଇସାରିଛି । ନୂତନ ଜନଗଣନା ରିପୋର୍ଟ ଆଧାରରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଉଥିଲା । କିନ୍ତୁ ଏହା ପୂର୍ବରୁ ସରକାର ଚଳିତ ସପ୍ତାହରେ ସଂଶୋଧିତ ବିଧେୟକ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଫଳରେ ୨୦୨୯ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ଆଇନ ଲାଗୁ ହୋଇପାରିବ । ସରକାର ଏଥିପାଇଁ ବିଭିନ୍ନ ବିରୋଧୀ ଦଳ ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶିବସେନା ୟୁବିଟି, ଏନସିପି (ଶରଦ ପାୱାର) ଦଳ ସହିତ ଆଲୋଚନା କରିଛନ୍ତି ।
୨୦୨୩ ମସିହାରେ ଗୃହୀତ ଏହି ଆଇନରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ତଥାପି, ଏହାର କାର୍ଯ୍ୟକାରିତା ନୂତନ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ଉପରେ ସର୍ତ୍ତବଦ୍ଧ ଥିଲା, ଯାହା ଏହାକୁ କାର୍ଯ୍ୟକାରୀ ହେବାରୁ ବାଧା ଦେଇଥିଲା । ମୂଳ ଆଇନରେ ଉଲ୍ଲେଖ ଥିଲା ଯେ ନୂତନ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବ। ସରକାର ଏବେ ଏହି ସର୍ତ୍ତ ସଂଶୋଧନ ଏବଂ ଯଥାଶୀଘ୍ର ଆଇନ କାର୍ଯ୍ୟକାରୀ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରୁଛନ୍ତି।