ବଲାଙ୍ଗୀର: ପ୍ରକୃତିର ଧନଭଣ୍ଡାର ଭାବେ ପରିଚିତ ଗନ୍ଧମାର୍ଦ୍ଦନ ପର୍ବତ ଏବେ ନିଆଁରେ ଜଳୁଛି। ଗ୍ରୀଷ୍ମ ଆରମ୍ଭ ହେବା ସହିତ ଏହି ପର୍ବତମାଳାର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଥିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ାଇଛି। ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ଭିଭାଗକୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଦାବି ଜଣାଇଛି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ।
ଗନ୍ଧମାର୍ଦ୍ଦନ ପାହାଡ଼ ନୃସିଂହନାଥ ଓ ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ବେଳେ ଏହାର ଚାରିପାର୍ଶ୍ୱରେ ଥିବା ଟେମିରିମାଲ, ଡୁଡ଼ୁକିଝରିଆ, ବ୍ରାହ୍ମଣଟାଲ, ଭୁଇଁଖାର, ମର୍ଯାଦାପାଲି, ମୋତିପାଲି ଭଳି ଅନେକ ସ୍ଥାନରେ ଜଙ୍ଗଳ ଜଳୁଥିବା ଦେଖିବାକୁ ମିଳିଛି। ପଦ୍ମପୁର ରୁ ଲଖନା ଦୀର୍ଘ ୯୭ କିଲୋମିଟର ବ୍ୟାପୀ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଅନେକ ପ୍ରକାର ଔଷଧୀୟ ବୃକ୍ଷ,ବନ୍ୟଜନ୍ତୁ, ସରୀସୃପ, ସହ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷଲତା। ଏହି ପର୍ବତମାଳାରୁ ଉପାର୍ଜିତ ଲଘୁ ବନଜାତ ଦ୍ରବ୍ୟକୁ ସଂଗ୍ରହ କରି ପ୍ରାୟତଃ ୫୦ ହଜାର ଆଦିବାସୀ ଜନଜାତି ଜୀବିକା ନିର୍ବାହ କରୁଥିବା ବେଳେ ପର୍ବତରୁ ନିର୍ଗତ ୨୨ଟି ଚିରସ୍ରୋତା ଝରଣାର ପାଣିକୁ ବ୍ୟବହାର କରି ମରୁଡ଼ି କବଳରୁ ରକ୍ଷା ପାଇଥାନ୍ତି ଚାଷୀ। ଏହାର ସୁରକ୍ଷା ପାଇଁ ଜଙ୍ଗଳ ଓ ପରିବେଶ ବିଭାଗ ପକ୍ଷରୁ ବ୍ୟାପକ ଭାବେ କର୍ମଚାରୀ ନିଯୁକ୍ତି ଥିବାବେଳେ ଏବେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି।
ପ୍ରତିବର୍ଷ ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି, ଏହା ସତ୍ତ୍ବେ ନିଆଁ କିପରି ଜଙ୍ଗଲରେ ଜଳୁଛି, କିଏ ନିଆଁ ଲଗାଉଛି, ଏନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି। ଏବେ ଏହାର ସୁରକ୍ଷା ପାଇଁ ଅଂଟା ଭିଡିଛି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ। ବନ ବିଭାଗଙ୍କ ତତ୍କାଳ ହସ୍ତକ୍ଷେପ ଦାବୀ କରିବା ସହ ଏତେ ସବୁ ସଚେତନତା କାର୍ଯ୍ୟକ୍ରମ ହେଉଥିବା ସତ୍ତ୍ୱେ ନିଆଁ କିପରି ଲାଗୁଛି ଏବଂ ଜଙ୍ଗଳ ସୁରକ୍ଷାରେ କାହିଁକି ଅବହେଳା ବୋଲି ପ୍ରଶ୍ନ ଉଠାଇଛନ୍ତି।
ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଥିବାର ନଜିର ରହିଛି, ତେବେ ବିଗତ କିଛି ବର୍ଷ ହେବ ଏହାର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି, ଯଦି ସଠିକ ସମୟରେ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆ ନ ଯାଏ, ତେବେ ଅଗାମୀଦିନରେ ଗନ୍ଧମାର୍ଦ୍ଦନର ଏହାର ସବୁଜ ପରିଚୟ ହରାଇ ଇତିହାସ ପାଲଟିବା।