ଭୁବନେଶ୍ୱର: ଏଣିକି ଡିଜିଟାଲ୍ ମାଧ୍ୟମରେ ଜନ ଅଭିଯୋଗ ଶୁଣାଣି ହେବ । ଫଳରେ ଖୁବଶୀଘ୍ର ଅଭିଯୋଗଗୁଡ଼ିକର ସମାଧାନ ହେବ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ଆଉ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ, ବିଧାୟକଙ୍କୁ ଭେଟି ଅଭିଯୋଗ କରିବାକୁ ପଡ଼ିବ ନାହିଁ । ଲୋକେ ଡିଜିଟାଲ ମାଧ୍ୟମରେ ନିଜର ଅଭିଯୋଗ ଜଣାଇ ପାରିବେ । ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଜନ ପ୍ରତିନିଧି ଅର୍ଥାତ୍ ବିଧାୟକମାନେ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେବେ । ଫଳରେ ଅଭିଯୋଗ ଶୁଣାଣି ସହଜ ଓ ସରଳ ହେବ । ଏଥିପାଇଁ ନୂତନ ୱେବ୍ ସାଇଟ୍ ଖୋଲିବାର ସମ୍ଭାବନା ରହିଛି ।
ଉଲ୍ଲେଖ ଯୋଗ୍ୟ, ୨୦୨୪ରେ ରାଜ୍ୟରେ ମୋହନ ସରକାର ଆସିବା ପରଠାରୁ ଲୋକଙ୍କ ଅଭିଯୋଗ ଶୁଣାଣି ଉପରେ ବେଶ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣି ଥରେ କାର୍ଯ୍ୟକାରୀ କରିଥିଲେ । ୧ ଜୁଲାଇ, ୨୦୨୪ରେ ପ୍ରଥମ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲା । ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି । ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣାଣି ହେଉଛି ।