ଭୁବନେଶ୍ୱର: ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ଭାରତରେ ତୈଳ ବିପଣନ ଏବଂ ଇନ୍ଧନ ଗ୍ୟାସକୁ ନେଇ ସଙ୍କଟ ଦେଖାଦେଇଛି । ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି । ବିଶେଷ କରି ରାଜ୍ୟରେ ଛୋଟ ଛୋଟ ଜଳଖିଆ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ରେସ୍ତୋରାଁ ପର୍ଯ୍ୟନ୍ତ ସବୁଠି ଚଢ଼ା ଦାମରେ ଖାଦ୍ୟ ମିଳୁଛି । ଗ୍ୟାସ ସଙ୍କଟକୁ ଦୂର କରିବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଏଲପିଜି ଗ୍ୟାସ୍ ମହଜୁତ ଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଗ୍ୟାସ୍ ସଙ୍କଟ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ବିଭାଗୀୟ ସଚିବ ଏବଂ ଗ୍ୟାସ୍ ବିତରକ ଏଜେନ୍ସିମାନେ ଯୋଗ ଦେଇଛନ୍ତି । ବୈଠକ ପୂର୍ବରୁ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍ ମହଜୁଦ ଅଛି । ତେଣୁ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ ଖାଉଟିଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ୨ ହଜାର ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ହେଉଥିବାବେଳେ ଆମ ପାଖରେ ହାରାହାରି ୧୪ ହଜାର ଘରୋଇ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରହିଛି । ପୂର୍ବରୁ ୨୦ ପ୍ରତିଶତ କମର୍ସିଆଲ୍ ଗ୍ୟାସ୍ ଦିଆଯାଉଥିଲା । ଆଉ ୨୦ ପ୍ରତିଶତ ଗ୍ୟାସ୍ ଦେବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି ।
ସେହିପରି ଆଉ ୧୦ ପ୍ରତିଶତ ପାଇଁ କେନ୍ଦ୍ର ସରକାର କିଛି ସର୍ତ୍ତ ରଖିଛନ୍ତି । ତେଣୁ ଯେତିକି କମର୍ସିଆଲ୍ ଗ୍ୟାସର ଆବଶ୍ୟକତା ରହୁଛି ତାହାର ୫୦ ପ୍ରତିଶତ ମିଳିଯିବ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି । ସେଥିପାଇଁ ଆଜିର ବୈଠକ ବସୁଛି । ହୋଟେଲ୍ମାନଙ୍କୁ ଗ୍ୟାସ୍ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । ଆଜିଠାରୁ ସମସ୍ତ ହୋଟଲ ଏବଂ ରେସ୍ତରାଁକୁ ଏଲିପିଜି ଗ୍ୟାସ୍ ବଣ୍ଟନ କରାଯିବ । କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଥିବା କହିଛନ୍ତି ମନ୍ତ୍ରୀ ।