ନୂଆଦିଲ୍ଲୀ: ଇରାନ ଯୁଦ୍ଧ କାରଣରୁ ଘରୋଇ ବଜାରରେ ଏଲପିଜି ସଙ୍କଟ ଦେଖା ଦେଇଛି । ସ୍ଥିତିର ମୁକାବିଲା ପାଇଁ ସରକାରୀ ତୈଳ କମ୍ପାନି ଏକ ପ୍ଲାନ ଉପରେ ବିଚାର କରୁଛନ୍ତି । ସରକାରୀ କମ୍ପାନିଗୁଡିକ ଘରେ ରୋଷେଇରେ ବ୍ୟବହୃତ ୧୪.୨ କିଲୋଗ୍ରାମର ସିଲିଣ୍ଡରରେ ଏବେ କେବଳ ୧୦ କିଲୋଗ୍ରାମ ଏଲପିଜି ଯୋଗାଣ କରିବା ଉପରେ ବିଚାର କରୁଛନ୍ତି ।
ଜନୈକ ଅଧିକାରୀ କହିଛନ୍ତି, ଏହି ପଦକ୍ଷେପର ଉଦ୍ଦେଶ୍ୟ ଯଥାସମ୍ଭବ ଅଧିକରୁ ଅଧିକ ଘରକୁ ଗ୍ୟାସ ଯୋଗାଣ କରି ଏଲପିଜି ମହଜୁଦ ରଖିବା ରହିଛି । କମ୍ପାନିର ଅନୁମାନ ମୁତାବକ ୧୪.୨ କିଲୋଗ୍ରାମର ଏକ ଏଲପିଜି ସିଲିଣ୍ଡର ଗୋଟିଏ ଘର ଚଳଣି ପାଇଁ ହାରାହାରି ୩୫ରୁ ୪୦ ଦିନ ପର୍ଯ୍ୟନ୍ତ ଯାଇଥାଏ । ଯଦି ଏମିତିରେ ସିଲିଣ୍ଡରରେ ୧୦ କିଲୋ ଗ୍ୟାସ ଭରା ଯାଏ ତେବେ ଗୋଟିଏ ଘର ସହଜରେ ଗୋଟିଏ ମାସ ଚଳି ପାରିବ । ଏମିତି ହେଲେ ଅଧିକାଂଶ ଘରକୁ ଗ୍ୟାସ ଯୋଗାଣ ହୋଇ ପାରିବ ।
ସିଲିଣ୍ଡରରେ ଲାଗିବ ନୂଆ ଷ୍ଟିକର
ଅଧିକାରୀ ଏହା ମଧ୍ୟ କହିଛନ୍ତି, ସରକାରୀ ତୈଳ କମ୍ପାନି ଯଦି ଏହି ଯୋଜନାକୁ ଲାଗୁ କରନ୍ତି ତେବେ ଏଲପିଜି ସିଲିଣ୍ଡରରେ ଏକ ନୂଆ ଷ୍ଟିକର ଲାଗିବ । ଏହା ସହିତ ସେହି ଅନୁପାତରେ ଗ୍ୟାସ ଦର ହ୍ରାସ କରାଯିବ । ବଟଲିଙ୍ଗ ପ୍ଲାଣ୍ଟଗୁଡିକୁ ମାପ ଓଜନ ସଂପର୍କିତ ସିଷ୍ଟମକୁ ପୁନଃ ଚାଳିତ କରିବାକୁ ପଡିବ । ଏହା ସହିତ କିଛି ରେଗୁଲେଟରୀ ମଞ୍ଜୁରୀ ମଧ୍ୟ ନେବାକୁ ପଡିବ ।
ସରକାରୀ ତୈଳ କମ୍ପାନି ଏହା ମଧ୍ୟ ଚିନ୍ତା କରୁଛନ୍ତି ଯେ, ଅଚାନକ ଏଲପିଜିରେ ଗ୍ୟାସ ହ୍ରାସ କରାଗଲେ ବିରୋଧ ହେବା ସହ ରାଜନୈତିକ ପ୍ରତିକ୍ରିୟା ବହୁତ ଦେଖିବାକୁ ମିଳିପାରେ । କାରଣ ଅନେକ ରାଜ୍ୟରେ ନିର୍ବାଚନ ମୁଣ୍ଡ ଉପରେ ରହିଛି । ଅଧିକାରୀ ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ, ଆସନ୍ତା ମାସରେ ଗ୍ୟାସ ଯୋଗାଣ ଆହୁରି ଖରାପ ହୋଇପାରେ । ଉଲ୍ଲେଖନୀୟ ଭାରତ ନିଜ ଆବଶ୍ୟକତାରୁ ୬୦ ପ୍ରତିଶତ ଗ୍ୟାସ ଆମଦାନୀ କରିଥାଏ ।
Also read: ଭାରତରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା; ପାକିସ୍ତାନରେ ସିଲିଣ୍ଡରର ମୂଲ୍ୟ କେତେ?