ଯଦି ଆପଣ ମଧ୍ୟ ନିଜ କାର୍ କିମ୍ବା ବାଇକ୍ ପାଇଁ ଏହି ସ୍ୱତନ୍ତ୍ର ଇନ୍ଧନ ବ୍ୟବହାର କରନ୍ତି, ତେବେ ଏହି ଖବର ସିଧାସଳଖ ଆପଣଙ୍କ ପକେଟ୍ ସହ ଜଡ଼ିତ। ୨୦ ମାର୍ଚ୍ଚ ୨୦୨୬ ରୁ ତେଲ ବିପଣନ କମ୍ପାନୀଗୁଡ଼ିକ ଏକ ବଡ଼ ପଦକ୍ଷେପ ନେଇ ପ୍ରିମିୟମ୍ ପେଟ୍ରୋଲ ଦରରେ ବୃଦ୍ଧି କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଇନ୍ଧନ ଉପରେ ଲିଟର ପିଛା ୨ ଟଙ୍କାରୁ ୨.୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ ଆଜି ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇସାରିଛି।
ଏହି ବ୍ରାଣ୍ଡଗୁଡ଼ିକ ଉପରେ ପଡ଼ିଲା ସିଧାସଳଖ ପ୍ରଭାବ
ରିପୋର୍ଟ ଅନୁସାରେ, ଏହି ସାମ୍ପ୍ରତିକ ମୂଲ୍ୟ ବୃଦ୍ଧିର ପ୍ରଭାବ ମୁଖ୍ୟତଃ ଏହି ହାଇ-ଗ୍ରେଡ୍ ବ୍ରାଣ୍ଡେଡ୍ ଫ୍ୟୁଏଲ୍ ଉପରେ ପଡ଼ିଛି। ଏଥିରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ର ‘ପାୱାର’ ପେଟ୍ରୋଲ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ‘ଏକ୍ସପି୯୫’ ଭଳି ପ୍ରମୁଖ ନା ସାମିଲ ଅଛି। ସାଧାରଣତଃ ଗାଡ଼ି ମାଲିକମାନେ ନିଜର ଦାମୀ କାର୍ ଏବଂ ଆଧୁନିକ ବାଇକ୍ରେ ଭଲ ଇଞ୍ଜିନ କାର୍ଯ୍ୟଦକ୍ଷତା ଆଶାରେ ଏହି ପ୍ରିମିୟମ୍ ପେଟ୍ରୋଲକୁ ପସନ୍ଦ କରନ୍ତି। ଏହି ବୃଦ୍ଧି ପରେ, ଏବେ ମାସିକ ଇନ୍ଧନ ଖର୍ଚ୍ଚ ନିଶ୍ଚିତ ଭାବେ କିଛିଟା ବଢ଼ିଯିବ।
ମଧ୍ୟ-ପ୍ରାଚ୍ୟ ଉତ୍ତେଜନା ସାଜିଲା କାରଣ
ବର୍ତ୍ତମାନ ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକରେ ଗଭୀର ଭୂ-ରାଜନୈତିକ ଉତ୍ତେଜନା ଲାଗି ରହିଛି। ଏହି ଆନ୍ତର୍ଜାତୀୟ ଅସ୍ଥିରତା ସାରା ବିଶ୍ୱର ଇନ୍ଧନ ବଜାରକୁ ବହୁଭାବରେ ପ୍ରଭାବିତ କରିଛି। ଆନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲ ଏବଂ ଯୋଗାଣ ଶୃଙ୍ଖଳା ଉପରେ ଯେତେବେଳେ ବି ଏଭଳି ଚାପ ପଡ଼େ, ତାହାର ସିଧାସଳଖ ପ୍ରଭାବ ଘରୋଇ ବଜାର ଦର ଉପରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି କାରଣରୁ ଭାରତରେ ତେଲ କମ୍ପାନୀଗୁଡ଼ିକୁ ଆନ୍ତର୍ଜାତୀୟ ବଜାରର ଚାପକୁ ସନ୍ତୁଳିତ କରିବା ପାଇଁ ପ୍ରିମିୟମ୍ ପେଟ୍ରୋଲ ଦରରେ ଏହି ବୃଦ୍ଧି କରିବାକୁ ପଡ଼ିଛି।
ରେଗୁଲାର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ନାହିଁ
ଧ୍ୟାନ ରଖନ୍ତୁ ଯେ, ଏହି ମୂଲ୍ୟ ବୃଦ୍ଧି କେବଳ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପ୍ରିମିୟମ୍ ପେଟ୍ରୋଲ ପାଇଁ ସୀମିତ ରଖାଯାଇଛି। ଯଦି ଆପଣ ନିଜର ଦୈନନ୍ଦିନ ଯାତ୍ରା ପାଇଁ ଗାଡ଼ିରେ ରେଗୁଲାର ପେଟ୍ରୋଲ ପକାଉଛନ୍ତି, ତେବେ ଆପଣଙ୍କୁ ଏହି ମହଙ୍ଗା ମାଡ଼ ପାଇଁ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହିଁ। ଓଏମସି ସ୍ପଷ୍ଟ କରିଛନ୍ତି ଯେ ରେଗୁଲାର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।