ନୂଆଦିଲ୍ଲୀ: ଏଲପିଜି ସଙ୍କଟ ମଧ୍ୟରେ ଭାରତ ପାଇଁ ବଡ ଖୁସିଖବର । ମଙ୍ଗଳବାର ଗୁଜରାଟର ବନ୍ଦରରେ ନନ୍ଦା ଦେବୀ ଜାହାଜ ପହଞ୍ଚି ଯାଇଛି । ବଡ କଥା ହର୍ମୁଜ ଜଳ ପ୍ରଣାଳୀ ଦେଇ ଭାରତ ପହଞ୍ଚିବାରେ ଏହା ଦ୍ୱିତୀୟ ଜାହାଜ । ଏହା ପୂର୍ବରୁ ସୋମବାର ଶିବାଲିକ ଭାରତରେ ପ୍ରବେଶ କରିଥିଲା । ଦୁଇ ଜାହାଜ ମିଶି ୯୦ ହଜାର ମେଟ୍ରିକ ଟନରୁ ଅଧିକ ଏଲପିଜି ନେଇ ଭାରତ ପହଞ୍ଚିଛନ୍ତି । ସଙ୍କଟ ମଧ୍ୟରେ ଏହା ଭାରତ ପାଇଁ ବଡ ଆଶ୍ୱସ୍ତିକର ହୋଇପାରେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନନ୍ଦା ଦେବୀ ଜାହାଜ ୪୭ ହଜାର ମେଟ୍ରିକ ଟନରୁ ଅଧିକ ଏଲପିଜି ନେଇ ଗୁଜରାଟର ୱାଡିନାର ପୋର୍ଟରେ ପହଞ୍ଚିଛି । ଶନିବାର ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଥିଲେ ଯେ, ଶିବାଲିକ ଓ ନନ୍ଦା ଦେବୀ ମାର୍ଚ୍ଚ ୧୬ ଓ ୧୭ରେ ଭାରତ ପହଞ୍ଚିପାରେ । ଆଉ ଠିକ୍ ୧୭ରେ ନନ୍ଦା ଦେବୀ ଗୁଜରାଟର ବନ୍ଦରରେ ପହଞ୍ଚି ସାରିଛି । ୨୪ ହଜାର ମେଟ୍ରିକ ଟନ ଏଲପିଜି ତାମିଲନାଡୁ ପଠାଯିବାର ସମ୍ଭାବନା ରହିଛି ।
ବର୍ତ୍ତମାନ ପଶ୍ଚିମ ପାରସ୍ୟ ଉପସାଗରରେ ୬୧୧ ନାବିକ ସହିତ ୨୨ ଭାରତୀୟ ପତାକା ଲାଗିଥିବା ଜାହାଜ ଫସି ରହିଛି । ଦୁଇଟି ଏଲପିଜି ବୋଝେଇ ଜାହାଜ ମାର୍ଚ୍ଚ ୧୩ରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ମାର୍ଚ୍ଚ ୧୪ ସକାଳେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲେ ।
ମିଳିବ ବଡ ଆଶ୍ୱସ୍ତି
ଦୁଇଟି ଜାହାଜରେ ପ୍ରାୟ ୯୨ ହଜାର ୭୧୨ ଟନ ଏଲପିଜି ରହିଛି । ଏହା ଦେଶରେ ଗୋଟିଏ ଦିନର ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକତା ସହ ସମାନ । ଏହି ଦୁଇଟି ଜାହାଜ ସେହି ୨୪ ଜାହାଜରେ ସାମିଲ ଥିଲା ଯେତେବେଳେ କ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେବା ପରେ ହର୍ମୁଜ ଜଳଡମରୁମଧ୍ୟରେ ଫସି ରହିଥିଲା ।
Also read: ଇରାନ ଯୁଦ୍ଧରେ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ, ପ୍ରାୟ ୨୦୦ ଆହତ