ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜର ଏକ ସଦ୍ୟତମ ସାକ୍ଷାତକାରରେ ବଡ ବୟାନ ଦେଇଛନ୍ତି । ସେ ସଙ୍କେତ ଦେଇଛନ୍ତି ଯେ, ତାଙ୍କ ଦ୍ୱାରା ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ପରିଚାଳନା କରିବାରେ ତ୍ରୁଟି ହୋଇଛି । ସେ କହିଛନ୍ତି ମଣିଷ ମାତ୍ରେ ହିଁ ଭୁଲ୍ ହୋଇଯାଏ ଏବଂ ହୋଇପାରେ ତାଙ୍କ ଦ୍ୱାରା ଭୁଲ୍ ହୋଇଛି । ମାତ୍ର ତାଙ୍କର ଉଦ୍ଦେଶ୍ୟ ସର୍ବଦା ସଚ୍ଚୋଟ ରହି ଆସିଛି ।
କୋଲକାତାରେ ରେଭସ୍ପୋର୍ଟ୍ସ କନକ୍ଲେଭରେ ଗୌତମ ଗମ୍ଭୀରଙ୍କୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ କରାଯାଇଥିଲା । କାରଣ ମିିଡିଆରେ ଏହାକୁ ନେଇ ରିପୋର୍ଟ ସର୍ବଦା ପ୍ରକାଶ ପାଇ ଆସିଛି । ଗମ୍ଭୀର ଏହାର ସିଧାସଳଖ ଜବାବ ଦେବା ପରିବର୍ତ୍ତେ ଦାର୍ଶନିକ ପରି ଜବାବ ରଖିଛନ୍ତି । ସେ କହିଛନ୍ତି ଭୁଲ୍ ହେଉଛି କାମର ଏକ ଅଂଶ।
ଭୁଲ୍ ହୋଇଛି ମାତ୍ର ଉଦ୍ଦେଶ୍ୟ ସ୍ୱଚ୍ଛ
ଗୌତମ ଗମ୍ଭୀର କହିଛନ୍ତି, ମୁଁ ମଣିଷ । ମୋ ଦ୍ୱାରା ବି ଭୁଲ୍ ହୋଇପାରେ । ପ୍ରତି ବ୍ୟକ୍ତିଙ୍କ ପରି ଯେ କୌଣସି ଖେଳାଳିଙ୍କୁ ମଧ୍ୟ ଭୁଲ୍ କରିବାର ସୁଯୋଗ ମିଳିବା ଉଚିତ୍ । ଗତ ୧୮ ମାସରେ ମୁଁ ମଧ୍ୟ ଭୁଲ୍ କରିଛି । ମୁଁ ସେହି ଭୁଲରୁ ପଳାୟନ କରେ ନାହିଁ ମାତ୍ର ମୁଁ ଏହା ଉପରେ ବିଶ୍ୱାସ କରେ । ସଠିକ ଉଦ୍ଦେଶ୍ୟରେ ଭୁଲ୍ ନିଷ୍ପତ୍ତି ସ୍ୱୀକାରର୍ଯ୍ୟ । ମାତ୍ର ଡ୍ରେସିଂ ରୁମରେ ମନ୍ଦ ଉଦ୍ଦେଶ୍ୟରେ ଭୁଲ୍ କରିବା ନିଷ୍ପତ୍ତି ମଞ୍ଜୁର ନୁହେଁ ।
ପ୍ରତିଟି କଥାରେ ସଫେଇ ଦେବାର ଆବଶ୍ୟକତା ନାହିଁ
ଗମ୍ଭୀର କହିଛନ୍ତି, ନିଜର କାମ ସଚ୍ଚୋଟତାର ସହ କରିବା ଏବଂ ଖେଳାଳିଙ୍କ ସହିତ ସ୍ପଷ୍ଟ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥାଏ । ସଠିକ ଉଦ୍ଦେଶ୍ୟରେ ଠିକ୍ କରିବା ସମୟରେ ବେଳେ ବେଲେ ଭୁଲ୍ ହୋଇଯାଏ । ଯେ ପର୍ଯ୍ୟନ୍ତ ମୁଁ ଡ୍ରେସିଂ ରୁମରେ ସଚ୍ଚୋଟ ରହି ପାରୁଛି, ଖେଳାଳିଙ୍କ ସହ ଆଖିରେ ଆଖି ମିଶାଇ କଥା ହୋଇ ପାରୁଛି, ତେବେ ମୁଁ ଭାବୁଛି ନିଜ ପଦରେ ମୁଁ ଠିକ୍ ଭାବେ କାମ କରୁଛି । ମୋତେ ନେଇ ସୋସିଆଲ ମିଡିଆରେ ହେଉଥିବା ସମାଲୋଚନା ଉପରେ ସଫେଇ ଦେବାର ଆବଶ୍ୟକତା ନାହିଁ ।