ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଆରମ୍ଭ ହେବାକୁ ଆଉ କେଇଟା ଦିନ ବାକି ରହିଲା । ମାର୍ଚ୍ଚ ୨୮ରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅନେକ କ୍ରିକେଟ୍ ସମୀକ୍ଷକ ନିଜ ନିଜର ଭବିଷ୍ୟତବାଣୀ ଆରମ୍ଭ କଲେଣି । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ଭାଷ୍ୟକାର ଆକାଶ ଚୋପ୍ରା ଆଇପିଏଲ୍ ୨୦୨୬ର ବିଜେତାଠୁ ନେଇ ପ୍ଲେ ଅଫରେ ପହଞ୍ଚିବାକୁ ଥିବା ଚାରୋଟି ଟିମ, ଅରେଞ୍ଜ କପ୍ ଓ ପର୍ପଲ କପ୍ ବିଜେତାକୁ ନେଇ ନିଜର ଭବିଷ୍ୟତବାଣୀ କରିଛନ୍ତି ।
ଆକାଶ ଚୋପ୍ରାଙ୍କ ଅନୁସାରେ ଏଥର ଆଇପିଏଲରେ ପ୍ଲେ ଅଫରେ ପହଞ୍ଚିବାକୁ ଥିବା ୪ଟି ଟିମ୍ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ । ଆକାଶଙ୍କ ମତରେ ସିଏସକେ ଓ କେକେଆର ମଜବୁତ ଟିମ୍ । ମାତ୍ର ଏଥର ଗ୍ରୁପ ପର୍ଯ୍ୟାୟରୁ ଦୁଇ ଦଳ ବାଦ୍ ପଡିବେ ।
ଆକାଶ ଚୋପ୍ରାଙ୍କ ମତରେ ଏଥର ଅରେଞ୍ଜ କ୍ୟାପଟ୍ ଟି-୨୦ ବିଶ୍ୱକପ୍ ୨୦୨୬ରେ ଧମାଲ କରିଥିବା ସଞ୍ଜୁ ସାମସନ ଜିତିବେ । ସାମସନ ନିକଟରେ ସଂପନ୍ନ ଟି-୨୦ ବିଶ୍ୱକପରେ ୩୨୧ ରନ କରି ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ସେ ଉଭୟ ସେମି ଫାଇନାଲ୍ ଓ ଫାଇନାଲରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ।
ଏହା ବ୍ୟତୀତ ଯଶପ୍ରୀତ ବୁମରା ପର୍ପଲ କ୍ୟାପ୍ ଜିତିବେ ବୋଲି କହିଛନ୍ତି । ବୁମରା ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ତାଙ୍କର ଇକୋନୋମି ମାତ୍ର ୬.୨୧ ରହିଥିଲା । ଏମର୍ଜିଂ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିଷୟରେ ଆକାଶ ଚୋପ୍ରା ବିନା କିଛି ଭାବିଚିନ୍ତି ତୁରନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇଥିଲେ । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଗତ ସିଜିନରେ ନିଜର ପ୍ରତିଭା ଦେଖାଇ ବିଶ୍ୱ କ୍ରିକେଟରେ ଚହଳ ପକାଇଥିଲେ । ସେ ଗତ ସିଜିନରେ ୭ଟି ମ୍ୟାଚ୍ ଖେଳି ପାରିଥିଲେ । ମାତ୍ର ଏଥର ତାଙ୍କୁ ସବୁ ୧୪ ମ୍ୟାଚରେ ଖେଳିବାର ସୁଯୋଗ ମିଳିବ ।
ଆଇପିଏଲ୍ ୨୦୨୬ର ବିଜେତାର ଭବିଷ୍ୟତବାଣୀ କରି ଆକାଶ କହିଛନ୍ତି ଯେ, ଏଥର ଅକ୍ଷର ପଟେଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚାମ୍ପିଅନ ହୋଇପାରେ ।
Also read: ବାଂଲାଦେଶ-ପାକ୍ ମ୍ୟାଚ୍ରେ ପୁଣି ବିବାଦ: ସିରିଜ୍ ହାରିବା ପରେ ଅଭିଯୋଗ ଆଣିଲେ ପାକ୍ ଖେଳାଳି