ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୬ର ଚାମ୍ପିଅନ ହୋଇଛି। ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ନେଇ ସମଗ୍ର ଦେଶରେ ଉତ୍ସବର ମାହୋଲ। ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବିରୋଧରେ ଆଇସିସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ସମୟରେ ଡାରିଲ୍ ମିଚେଲଙ୍କ ସହ ହୋଇଥିବା ଝଗଡ଼ା ପରେ ଅର୍ଶଦୀପଙ୍କୁ ICC ଆଚରଣ ସଂହିତାର ଲେବଲ୍ ୧ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରି ତାଙ୍କ ମ୍ୟାଚ୍ ଫିର ୧୫ପ୍ରତିଶତ ଜରିମାନା ଲଗାଇଛନ୍ତି। ଏହା ସହିତ ଏକ ଡିମେରିଟ୍ ପଏଣ୍ଟ ଯୋଡ଼ା ଯାଇଛି। ଏହା ପୂର୍ବରୁ ଏହି ଘଟଣାରେ ଅର୍ଶଦୀପ ମିଚେଲଙ୍କୁ କ୍ଷମା ବି ମାଗି ସାରିଛନ୍ତି।
ଏହି ଘଟଣା ରବିବାର ମାର୍ଚ୍ଚ ୮ରେ ଖେଳାଯାଇଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍ ସମୟରେ ଘଟିଥିଲା।ଯେଉଁଥିରେ ନ୍ୟୁଜିଲାଣ୍ଡ ୨୫୬ ରନର ଲକ୍ଷ୍ୟ ପିଛା କରୁଥିଲା। ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭରରେ ଅର୍ଶଦୀପ ବୋଲିଂ କରୁଥିବା ସମୟରେ ମିଚେଲ୍ ଖେଳିଥିବା ସଟକୁ ଅର୍ଶଦୀପ ଧରିଥିଲେ। ଏହା ପରେ ଅର୍ଶଦୀପ ବଲ୍ ଧରି ଡାରିଲ ମିଚେଲଙ୍କ ଆଡ଼କୁ ଫିଙ୍ଗିଥିଲେ, ଯାହା ମିଚେଲଙ୍କ ଶରୀରରେ ବାଜିଥିଲା।
ଅର୍ଶଦୀପ ସିଂହଙ୍କୁ ତାଙ୍କ ମ୍ୟାଚ୍ ଫିର ୧୫ ପ୍ରତିଶତ ଜରିମାନା ଏବଂ ଏକ ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଇଛି। ଅର୍ଶଦୀପଙ୍କୁ ICC ଆଚରଣ ସଂହିତାର ଧାରା ୨.୯ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ଏକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ସମୟରେ ଅନ୍ୟ ଖେଳାଳିଙ୍କ ଆଡ଼କୁ ବିପଦପୂର୍ଣ୍ଣ ଭାବରେ କୌଣସି ଉପକରଣ ଫିଙ୍ଗନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅର୍ଶଦୀପ ସିଂହ ଗତ ୨୪ ମାସରେ ତାଙ୍କର ପ୍ରଥମ ଡିମେରିଟ୍ ପଏଣ୍ଟ ପାଇଛନ୍ତି। ୨୪ ମାସ ମଧ୍ୟରେ ଚାରି କିମ୍ବା ତା'ଠାରୁ ଅଧିକ ଡିମେରିଟ୍ ପଏଣ୍ଟ ପାଇଲେ ଗୋଟିଏ ଟେଷ୍ଟ ମ୍ୟାଚ୍ କିମ୍ବା ଦୁଇଟି ODI/T20 ମ୍ୟାଚ୍ ପାଇଁ ବାସନ୍ଦ ହୋଇପାରେ।
Also read: ବିଶ୍ୱ ବିଜେତା ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ ଘୋଷଣା, ମିଳିବ ୧୦୦ କୋଟିରୁ ଅଧିକ ପୁରସ୍କାର