ଭୁବନେଶ୍ୱର: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକ ସୌଭିକ ବିଶ୍ୱାଳ। ଚୌଦ୍ୱାର–କଟକର ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କୁ ନେଇ ଏବେ ରାଜନୀତିକ ମହଳରେ ଜୋରଦାର ଚର୍ଚ୍ଚା ଚାଲିଛି। ବିଧାନସଭାରେ ହୋଇଥିବା ଭୋଟିଂକୁ ନେଇ ସେ କ୍ରସ୍ ଭୋଟିଂ କରିଥିବା ସୂଚନା ଆସିଥିବା ବେଳେ, ଭୋଟ୍ ଦେବା ପରେ ତାଙ୍କର ହଠାତ୍ ନିରବତା ସବୁଠୁ ଅଧିକ ଆଲୋଚନାର କାରଣ ହୋଇଛି।
ସୂଚନା ଅନୁସାରେ, ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିବା ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଚାଲିଛି। ଯଦିଓ ଏହି ଅଭିଯୋଗକୁ ନେଇ ସେ ନିଜେ ସ୍ପଷ୍ଟ କରିନାହାନ୍ତି, ତଥାପି ଭୋଟିଂ ପରେ ତାଙ୍କର ଚୁପ୍ ରହିବା ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।
ଆଜି ସକାଳେ ସୌଭିକ ବିଶ୍ୱାଳ ଗଣମାଧ୍ୟମ ସାମ୍ନାରେ ବହୁତ ସକ୍ରିୟ ଦେଖାଯାଇଥିଲେ। ସେ SCB ମେଡିକାଲ କଲେଜ୍ ଓ ହସ୍ପିଟାଲ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ବିଧାନସଭାକୁ ଭୋଟ୍ ଦେବା ପାଇଁ ପହଞ୍ଚିବା ପରେ ତାଙ୍କର ଆଚରଣ ସମ୍ପୂର୍ଣ୍ଣ ପରିବର୍ତ୍ତିତ ଦେଖାଗଲା। ଭୋଟିଂ ସମୟରେ ସୌଭିକ ବିଶ୍ୱାଳ ତାଙ୍କ ପତ୍ନୀଙ୍କ ସହ ବିଧାନସଭାରେ ପହଞ୍ଚିଥିଲେ। ମିଡିଆ ପ୍ରତିନିଧିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ କଥା।
ଗଣମାଧ୍ୟମ ପକ୍ଷରୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ସୌଭିକଙ୍କ ପତ୍ନୀ କହିଥିଲେ ଯେ, ଆଜି ସୌଭିକ ବିଶ୍ୱାଳ “ମୌନ ବ୍ରତ” ରଖିଛନ୍ତି। ସେଥିପାଇଁ ସେ ମିଡିଆ ସହ କୌଣସି କଥା କହୁନାହାନ୍ତି। ତାଙ୍କର ଏହି କଥା ପରେ ଘଟଣାଟି ଆହୁରି ରୋଚକ ହୋଇଯାଇଛି। କାରଣ ସକାଳେ ଯେଉଁ ସୌଭିକ ବିଶ୍ୱାଳ ଗଣମାଧ୍ୟମ ସାମ୍ନାରେ କଥା କହୁଥିଲେ, ସେହି ବ୍ୟକ୍ତି ଅପରାହ୍ନରେ ହଠାତ୍ “ମୌନ” ହୋଇଯିବା ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏହା ପଛରେ କୌଣସି ରାଜନୀତିକ କାରଣ ରହିଛି କି, ନା କି ଏହା କେବଳ ବ୍ୟକ୍ତିଗତ ନିଷ୍ପତ୍ତି — ସେନେଇ ଚର୍ଚ୍ଚା ଜୋର ଧରିଛି।