ଭୁୁବନେଶ୍ୱର: ଆଜି ସମଗ୍ର ଦେଶରେ ରାଜ୍ୟସଭା ନିର୍ବାଚନର ମତଦାନ ଚାଲିଛି । ଓଡିଶାରେ ଖାଲି ହେବାକୁ ଯାଉଥିବା ୪ଟି ସିଟ୍ ପାଇଁ ବିଧାନସଭା ପରିସରରେ ଭୋଟ୍ ଗ୍ରହଣ ଚାଲିଛି । ୩ଟି ଆସନର ଫଳାଫଳ ଆପାତଃ ସ୍ପଷ୍ଟ ଲାଗୁଥିବା ବେଳେ ଚତୁର୍ଥ ଆସନ ପାଇଁ ଚାଲିଛି ବଳ କଷାକଷି । ଚତୁର୍ଥ ରାଜ୍ୟସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି । ତେବେ ଏସବୁ ଭିତରେ ସଭିଙ୍କ ନଜର ସେହି ୮ ବିଧାୟକଙ୍କ ଉପରେ ରହିଛି ଯାହାଙ୍କ ଭୋଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଏମାନଙ୍କ ମଧ୍ୟରୁ କିଛିଟ ଜଣ ଭୋଟ୍ ଦେଇ ସାରିଲେଣି ।
ଏହି ଆଠ ବିଧାୟକଙ୍କ ମଧ୍ୟରୁ କିଛି ନିଲମ୍ବିତ ଥିବା ବେଳେ ଆଉ କିଛି ନିଜ ଦଳର ଆଭିମୁଖ୍ୟ ଅସନ୍ତୁଷ୍ଟ ଅଛନ୍ତି । ଆଉ କିଛି ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ପାରନ୍ତି । ଆଉ କିଛି କ୍ରସ ଭୋଟିଂ କରି ପାରନ୍ତି । ଆଉ ଏହି ଆଠ ବିଧାୟକ ହେଉଛନ୍ତି ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ, ଦାଶରଥୀ ଗମାଙ୍ଗ, ସନାତନ ମହାକୁଡ, ସୋଫିଆ ଫିର୍ଦ୍ଦୋସ, ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୁଭାଷିନୀ ଜେନା । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ବିଜେଡି ନିଲମ୍ବିତ କରି ସାରିଛି । ତଥାପି ଦଳ ଗତକାଲି ହ୍ୱିପ୍ ଜାରି କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଦୁଇ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି । ତେଣୁ ଏହି ଦୁଇ ନିଲମ୍ବିତ ବିଧାୟକ କାହାକୁ ଭୋଟ୍ ଦେଉଛନ୍ତି ତାହା ଦେଖିବା ବଡ ରୋଚକ ହେବ ।
ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ
ଅନ୍ୟପଟେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ହେଉଛନ୍ତି ଦିଲୀପ ରାୟଙ୍କ ଘନିଷ୍ଠ ବନ୍ଧୁ । ଉଭୟଙ୍କ ମଧ୍ୟରେ ପାରିବାରିକ ସଂପର୍କ ରହିଛି । ତେଣୁ ଅରବିନ୍ଦଙ୍କ ଭୋଟ୍ ଦିଲୀପ ରାୟଙ୍କ ଆଡକୁ ଯିବା ସମ୍ଭାବନା ଅଧିକ ରହିଛି । ଅନ୍ୟପଟେ ସନାତନ ମହାକୁଡ କେନ୍ଦୁଝର ପ୍ରତି ବିଜେଡି କରିଥିବା ଅବହେଳାକୁ ନେଇ ବିଗତ ଦିନରେ ବିଷୋଦଗାର କରିଥିଲେ । ଏହାକୁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେଡି ତାଙ୍କୁ ନିଲମ୍ବିତ କରିଥିଲା । ତେଣୁ ସନାଙ୍କ ଭୋଟ୍ ମଧ୍ୟ ଦିଲୀପ ଆଡକୁ ଯିବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି ।
ସୌଭିକ ବିଶ୍ୱାଳ
ସୌଭିକ ବିଶ୍ୱାଳ ହେଉଛନ୍ତି କଟକ ଚୌଦ୍ୱାରରୁ ବିଜେଡି ବିଧାୟକ । ସେ ଏହି ଆସନରୁ କ୍ରମାଗତ ଦୁଇ ଥର ନିର୍ବାଚନ ଜିତିଲେଣି । ତେବେ ତାଙ୍କ ବାପା ପ୍ରଭାତ ବିଶ୍ୱାଳ ଦିନ ଥିଲା ବିଜେଡିର ଜଣେ ବରିଷ୍ଠ, ଟାଣୁଆ ଏବଂ ଅଭିଜ୍ଞ ନେତା ଥିଲେ । ହେଲେ ଦଳର କାର୍ଯ୍ୟକୁ ନେଇ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିବା ସହ ଖୋଲାଖୋଲି ଦଳର ନିଷ୍ପତ୍ତିକୁ ସମାଲୋଚନା କରି ଆସିଥିଲେ । ତେଣୁ ଦଳ ତାଙ୍କୁ କିଛି ଦିନ ତଳେ ବହିଷ୍କାର କରି ସାରିଛି । ତେଣୁ ସୌଭିକ ବିଶ୍ୱାଳଙ୍କ ଭୋଟ୍ କେଉଁ ଆଡକୁ ଯିବ ତାହା କହିବା ମୁସ୍କିଲ ଲାଗୁଛି ।
ସୋଫିଆ ଫିର୍ଦ୍ଦୋଶ
ସୌଭିକ ବିଶ୍ୱାଳଙ୍କ ପରି ପ୍ରାୟତଃ ସମାନ କାହାଣୀ ସୋଫିଆଙ୍କର । ସୋଫିଆ ହେଉଛନ୍ତି କଟକ ବାରବାଟୀରୁ କଂଗ୍ରେସର ବିଧାୟକ । ତାଙ୍କ ବାପା ମହମ୍ମଦ ମୋକିମ ମଧ୍ୟ ପୂର୍ବରୁ ଏହି ଆସନରୁ ନିର୍ବାଚନ ଜିତିଥିଲେ । ସେ କଂଗ୍ରେସର ଜଣେ ବରିଷ୍ଠ ଏବଂ ଦୃଢ ସଂଗଠକ ଟାଣୁଆ ନେତା ଥିଲେ । ସେ ମଧ୍ୟ ଦଳର କାର୍ଯ୍ୟଶୈଳୀ ଏବଂ ଆଭିମୁଖ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଦଳରୁ ତଡା ଖାଇଛନ୍ତି । ତାଙ୍କ ରାସ୍ତାରେ ବି ସୋଫିଆ ଫିର୍ଦ୍ଦୋଶ । ବେଙ୍ଗାଲୁରୁ ଯାଇ ନ ଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସୋଫିଆଙ୍କ ନାଁ ମଧ୍ୟ ରହିଛି । ତାଙ୍କୁ ଯେବେ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କ ଭୋଟ୍ କାହାକୁ ଯିବ, ସେ ସ୍ପଷ୍ଟ ଭାବେ ଉତ୍ତର ଦେଇ ନ ଥିଲେ । ତେଣୁ ତାଙ୍କ ଭୋଟ୍ ଦତ୍ତେଶ୍ୱରଙ୍କୁ ଯିବ ନା କ୍ରସ ଭୋଟିଂ କରିବେ ତାହା ଦେଖିବା ବାକି ରହିଲା ।
ସୁଭାଷିନୀ ଜେନା
ସୁଭାଷିନୀ ଜେନା ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ବସ୍ତାର ବିଜେଡି ବିଧାୟିକା । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ରବୀନ୍ଦ୍ର ବାଲେଶ୍ୱର ଜିଲ୍ଲାରେ ବିଜେଡିର ସବୁଠୁ ବଡ ସଂଗଠକ ଥିଲେ । ହେଲେ ସେ ବିଜେଡି ଛାଡି ବିଜେପିରେ ମିଶିବାରୁ ସୁଭାଷିନୀ ଜେନାଙ୍କ ଭୋଟକୁ ନେଇ ଗୋଳିଆ ସ୍ଥିତି ଉପୁଜିଛି । କାରଣ ସେ ମଧ୍ୟ କାହାକୁ ଭୋଟ୍ ଦେବେ ତାହା ବଡ ପ୍ରଶ୍ନ । ଦଳପତିଙ୍କ କଥା ମାନିବେ ନା ପତିଙ୍କ କଥା ମାନିବେ ତାହା ଦେଖିବା ବାକି ରହିଲା ।
ଦାଶରଥୀ ଗମାଙ୍ଗ
ଦାଶରଥୀ ଗମାଙ୍ଗ କଂଗ୍ରେସର ନେତା । ସେ ବର୍ତ୍ତମାନ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପକୁ ଅବମାନନା କରିବା ଏବଂ ଦଳ ସହ ଯୋଗାଯୋଗ ନ କରିବା ଅଭିଯୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତାଙ୍କୁ ଆଜି ସକାଳ ୯ଟା ସୁଦ୍ଧା ପାର୍ଟି କାର୍ଯ୍ୟାଳୟ ଆସିବାକୁ କୁହାଯାଇଥିଲା । ତଥାପି ସେ ଆସିନ ଥିଲେ । ତେଣୁ ସେ କ୍ରସ ଭୋଟିଂ କରିବାର ସମ୍ଭାବନା ରହିଛି ।
ଚକ୍ରମଣି କହଁର
ଚକ୍ରମଣି କହଁର ବିଜେଡିର ବିଧାୟକ । ସେ କନ୍ଧମାଳ ଜିଲ୍ଲାରେ ବିଜେଡିର ଜଣେ ଟାଣୁଆ ନେତା । ସେ ବର୍ତ୍ତମାନ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ । ବର୍ତ୍ତମାନ ଚାଲିଥିବା ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ବୈଠକରେ ଅନୁପସ୍ଥିତ ରହିବା ଏବଂ ଦଳର ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ବିଜୁ ଜନତା ଦଳ ତାଙ୍କୁ \'କାରଣ ଦର୍ଶାଅ ନୋଟିସ\' ଜାରି କରିଛି। ଏପରିିକି ବିଜେପି ତାଙ୍କୁ ଲୁଚାଇ ରଖିଥିବା ବିଜେଡି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲା । ତେଣୁ ଚକ୍ରମଣି କହଁରଙ୍କ ଦଳରୁ ଏମିତି ଗାଏବ ରହିବା, ସେ କ୍ରସ ଭୋଟିଂ କରିବାର ସମ୍ଭାନବାକୁ ଏଡାଇ ଦିଆଯାଇ ନ ପାରେ ।
ନବ କିଶୋର ମଲ୍ଲିକ
ନବ କିଶୋର ମଲ୍ଲିକ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି। ସେ ୨୦୨୪ରେ ବିଜେପି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ । ଏହା ପୂର୍ବରୁ ସେ ବିଜେଡିରେ ଥିଲେ । ହେଲେ ୨୦୨୪ରେ ବିଜେପିରେ ମିଶିଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଙ୍କର ଗତିବିଧି ବିଜେପି ମନରେ ଆଶଙ୍କା ସୃଷ୍ଟି କରିଛି । ତେଣୁ ତାଙ୍କର ଭୋଟ୍ କୁଆଡେ ଯିବ ତାହା କହି ହେବନି ।