ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ମତଦାନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ୍ ଦେଇଛନ୍ତି । ଏହା ପରେ ଜଣକ ପରେ ଜଣେ ବିଧାୟକ ଏବଂ ମନ୍ତ୍ରୀମାନେ ଭୋଟ୍ ଦେଉଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ବିଜେଡ଼ିର ସଂତୃପ୍ତ ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଆସନ ପାଇଁ ଲଢ଼ୁଛନ୍ତି । ସେହିପରି ଚତୁର୍ଥ ଆସନ ପାଇଁ ବିଜେଡ଼ି-କଂଗ୍ରେସ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଇଦାନରେ ଅଛନ୍ତି । ଚତୁର୍ଥ ଆସନ କିଏ ବାଜିମାତ କରିବ ତାହା ଉପରେ ସାରା ଓଡ଼ିଶାବାସୀଙ୍କ ନଜର ରହିଛି ।
ଜଣେ ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ୍ ଦତ୍ତେଶ୍ୱର ହୋତାଙ୍କୁ ଯାଇଛି । ସେହିପରି କଂଗ୍ରେସର ୫ ଜଣ ବିଧାୟକ ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି ।