କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଇସିୟୁ ବିଭାଗରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଇସିୟୁରେ ଚିକିତ୍ସାଧୀନ ଥିବା ୧୧ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି କାର୍ଯ୍ୟରତ ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମୃତକ ମାନେ ହେଲେ ରମେଶ ଚନ୍ଦ୍ର ପରିଡ଼ା, ଦଶରୁ ମୁଣ୍ଡା, ମହମ୍ମଦ ନ୍ୟୁମ୍, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ ଅବଦୁଲ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଓ ମେନକା ରାଉତ । ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥିତି ପରଖି ସହାୟତା ରାଶି ଘୋଷଣା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ୍ ସମୟରେ ଏସସିବିର ପ୍ରଥମ ମହଲାରେ ଥିବା ଆଇସିୟୁରେ ହଠାତ୍ ନିଆଁ ଲାଗିଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା । ତୁରନ୍ତ ୩ଟି ଅଗ୍ନିଶମ ଗାଡ଼ି ପହଁଚି ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ୭ ଜଣ ରୋଗୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତତସହିତ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ଆଇସିୟୁରେ ଡ୍ୟୁଟିରେ ଥିବା ୧୧ ଜଣ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ୮ ଜଣ ପ୍ରାଥମିକ ଚିକିତ୍ସା ପରେ ଫେରିଛନ୍ତି । ବୋଲି କଟକ ମେୟର ସୂଚନା ଦେଇଛନ୍ତି । ଆଇସିୟୁରେ ମୋଟ ୨୩ ଜଣ ରୋଗୀ ଚିକିତ୍ସାଧୀନ ଥିଲେ ବୋଲି ଜଣାପଡ଼ିଛି ।
ଖବର ପାଇ ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ପହଁଚି ସ୍ଥିତି ପରଖିଛନ୍ତି । କେଉଁ ପରିସ୍ଥିତିରେ ନିଆଁ ଲାଗିଛି ତାହାର ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨୫ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସାଇଣ୍ଟିଫିଟ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ ହୋଇଛି ।