ଭୁୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଓଡିଶାର ରାଜନୀତି ଚରମରେ ପହଞ୍ଚିଛି । ସୋମବାର ଭୋଟିଂର ସମୟ ଯେମିତି ଯେମିତି ପାଖେଇ ଆସୁଛି ଶାସକଠୁ ନେଇ ବିରୋଧୀ ଦଳ ନିଜ ନିଜର ବିଧାୟକଙ୍କୁ ଜଗି ରହୁଛନ୍ତି । କାରଣ ଘୋଡା ବେପାରର ଭୟ ସଭିଙ୍କୁ ଘାରିଛି । ଚତୁର୍ଥ ଆସନ ପାଇଁ ଲଢେଇର ପ୍ରଭାବ ଏମିତି ରହିଛି ଯେ, ବିରୋଧୀ ଅଧିକ କ୍ରସ ଭୋଟିଂର ଭୟ ଘାରିଛି । ଏସବୁ ମଧ୍ୟରେ ଶାସକ ବିଜେପି ନିଜର ବିଧାୟକଙ୍କୁ ଏକାଠି ରଖିବା ଉଦ୍ଦେଶ୍ୟରେ ନିଜର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ପାରାଦୀପ ଯାଇଛି । ଏଠାରେ ଦଳ ବିଧାୟକମାନଙ୍କୁ ଭୋଟିଂର ତାଲିମ ଦେବେ ।
ସୋମବାର ଅର୍ଥାତ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଶନିବାର ସନ୍ଧ୍ୟାରେ ଦୁଇଟ ସ୍ୱତନ୍ତ୍ର ବସରେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଦଳ ପାରାଦୀପ ନେଇଛି । ଏଠାରେ ବିଧାୟକମାନଙ୍କୁ ରାଜ୍ୟସଭାରେ ଭୋଟ୍ କେମିତି ଦିଆଯାଏ ତାର ଟ୍ରେନିଂ ଦିଆଯିବ । କାରଣ ବିଜେପିରେ ଅଧିକାଂଶ ବିଧାୟକ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ପାଇଁ ରାଜ୍ୟସଭା ନିର୍ବାଚନ ନୂଆ । ଚତୁର୍ଥ ଆସନ ପାଇଁ ଯେମିତି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି ଏମିତି ସ୍ଥିତିରେ କୌଣସି ଦଳ ଗୋଟିଏ ହେଲେ ଭୋଟ୍ ନାକଚ ହେବାକୁ ଦେବେ ନାହିଁ । ତେଣୁ ବିଜେପି ନିଜର ବିଧାୟକମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେବାକୁ ପାରାଦୀପ ନେଇଛି ।
ସେଠାରେ ରବିବାର ପ୍ରଶିକ୍ଷଣ ଶିବିର ହେବା ପରେ ସୋମବାର ସିଧାସଳଖ ପାରାଦୀପରୁ ବିଧାନସଭା ଯିବେ ବିଜେପି ବିଧାୟକ । ନିର୍ବାଚନ ପାଇଁ ଦଳ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେପି ଏଜେଣ୍ଟ କରିଛି । ଏହା ପୂର୍ବରୁ ଶନିବାର ଦିନ ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଓ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।
ଓଡିଶାରୁ ଚାରୋଟି ଆସନ ମଧ୍ୟରୁ ତିନୋଟି ଆସନର ଫଳାଫଳ ସ୍ପଷ୍ଟ ହୋଇ ସାରିଥିବା ବେଳେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେଉଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟଙ୍କୁ ବିଜେପି ମଇଦାନରେ ଛାଡିଥିବା ବେଳେ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି । ସଂଖ୍ୟା ବଳରେ ବିରୋଧୀ ଆଗୁଆ ଥିଲେ ହେଁ କ୍ରସ ଭୋଟିଂର ଭୟ ଘାରିଛି । କାରଣ ଉଭୟ ବିଜେଡି ଓ କଂଗ୍ରେସରେ ଅନେକ ବିଧାୟକଙ୍କ ବିଦ୍ରୋହୀ ଆଭିମୁଖ୍ୟ ରହିଛି । ତେଣୁ କ୍ରସ ଭୋଟିଂର ସମ୍ଭାବନା ଅଧିକ ରହିଛି ।