ଝାରସୁଗୁଡା: ବେଆଇନ ଭାବେ ନଦୀ ଜଳ ବ୍ୟବହାର ବେଦାନ୍ତ ଆଲୁମିନିୟମକୁ ପଡିଛି ମହଙ୍ଗା । ବୁର୍ଲା ସ୍ଥିତ ଜଳସେଚନ ବିଭାଗ ପକ୍ଷରୁ କମ୍ପାନିକୁ ୨୩୩ କୋଟି ୧୧ ଲକ୍ଷ ଟଙ୍କାର ମୋଟା ଜରିମାନା ଲଗାଯାଇଛି । ଗ୍ରୀଷ୍ମ ଋତୁରେ କୌଣସି ବି ନଦୀରୁ ଶିଳ୍ପାନୁଷ୍ଠାନ ପାଇଁ ଜଳ ନ ଉଠାଇବାକୁ କମ୍ପାନିକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି କମ୍ପାନି ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାକୁ ନେଇ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ପକ୍ଷରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କମ୍ପାନି ବେଆଇନ ଭାବେ ପାଣି ଚୋରି କରୁଥିବା ତଦନ୍ତରୁ ଟିମ୍ ଜାଣିବାକୁ ପାଇଥିଲେ ।
ଏହା ପରେ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଭାଗ ପକ୍ଷରୁ କମ୍ପାନିକୁ ୨୩୩ କୋଟି ୧୧ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ମାସେ ଭିତରେ ଫାଇନ ସହ ସବୁ ଦେୟ ପୈଠ କରିବାକୁ ନୋଟିସ୍ ଜାରି ହୋଇଛି । ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ପାଣି ଉଠାଇବା ସମୟ ମଧ୍ୟରେ କୌଣସି ପ୍ରକାର ଦେୟ ପୈଠ କରିଥିବା ରେକର୍ଡ ନାହିଁ।
ଫଳରେ କମ୍ପାନୀ ଉପରେ ମାସ ପରେ ମାସ ବକେୟା ରାଶି ଜମା ହେଉଥିଲା। ମେ ୨୦୨୫ରେ ପ୍ରାୟ ୨.୭୪ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ବକେୟା ରାଶି ଜୋରିମାନା ଏବଂ ସୁଧ ଯୋଗୁ ତୀବ୍ର ଭାବରେ ବୃଦ୍ଧି ପାଇ ଶେଷରେ ଏପ୍ରିଲ ୨୯ ସୁଦ୍ଧା ଏହା ୨୩୩,୧୧,୨୪,୯୨୬ ଟଙ୍କାରେ ପହଞ୍ଚିଛି।
Also Read: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବଢିଲା ଶ୍ରମିକଙ୍କ ମଜୁରୀ