ରାୟଗଡ଼ା: ଓଡ଼ିଶା ମାଟିରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲାଠାରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୭୦୦ କୋଟି ଟଙ୍କା ବିନିମୟରେ ୮୨୭ଟି ନୂଆ ସଡ଼କ ନିର୍ମାଣ କରାଯିବ ।
କେନ୍ଦ୍ର କୃଷି ମନ୍ତ୍ରୀ ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ମୋହନ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋହନ ମାଝୀ ସରକାର ମାତ୍ର ଦୁଇ ବର୍ଷ ମଧ୍ୟରେ କମାଲ କରିଦେଇଛି । ରାୟଗଡ଼ାରୁ ଗୌରବକୁ ଆଲୋକପାତ କରିଥିଲେ । ମୋହନଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିକାଶ ଧାରାକୁ ଆଗକୁ ବଢ଼ାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ମାମୁଁ (ଶିବରାଜ ସିଂହ) ଓଡ଼ିଶା ପାଇଁ ଭେଟି ନେଇକି ଆସିଛନ୍ତି ବୋଲି କହିଛନ୍ତି । ଦେଶର ପ୍ରତି ଗ୍ରାମକୁ ପକ୍କା ସଡ଼କ ସହିତ ଯୋଡ଼ିବାକୁ ସ୍ୱପ୍ନ ଦେଖିଥିବା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ୟମ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ପାଇଁ “ଦିଲ୍ (ହୃଦୟ) କୀ ଦ୍ୱାର୍ ଔର୍ ଦିଲ୍ଲୀ କୀ ଦ୍ୱାର ଖୋଲ୍ ଦିଏ ହେଁ” । ଅର୍ଥାତ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ହୃଦୟର ଦ୍ୱାର ଏବଂ ଦିଲ୍ଲୀର ଦ୍ୱାର ଖୋଲି ଦେଇଛନ୍ତି । ସେଥିପାଇଁ ଆଜି ରାୟଗଡ଼ାରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ଏଥିରେ ୧୬୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ୮୨୭ଟି ନୂଆ ସଡ଼କ ନିର୍ମାଣ କରାଯିବ । ବାକି ଥିବା ସଡ଼କ ପାଇଁ ଅତିରିକ୍ତ ୧୪୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଆମେ କେବଳ ଫମ୍ପା ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁନାହୁଁ, ବରଂ କାମ କରି ଦେଖାଇବାରେ ବିଶ୍ୱାସ କରୁ ବୋଲି ସେ ମଞ୍ଚରେ କହିଥିଲେ।
କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ। ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming) ର ସମୀକ୍ଷା କରିବେ। କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।