ଭୁବନେଶ୍ୱର ; ସକାଳୁ ସକାଳୁ ଅନୁଭୂତ ହେଲା କୋହଲା ପାଗ। ତେବେ ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ୩୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହୋଇପାରେ।
ତେବେ ମାର୍ଚ୍ଚ ୨୦ ତାରିଖରୁ ଅସହ୍ୟ ତାତି ଅନୁଭୂତ ହେବା ନେଇ ଆକଳନ କରାଯାଇଛି। ସାରା ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସୁନ୍ଦରଗଡ ଏବଂ ସମ୍ବଲପୁର ସହରଗୁଡ଼ିକ ଏହି ସୀମା ଅତିକ୍ରମ କରିପାରେ। ଏପରିକି ସମଗ୍ର ଅଞ୍ଚଳରେ ଦିନର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି ।