ପୁରୀ: ପୁଣି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରାଯାଉଛି। ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦେଢ଼ ଘଣ୍ଟା ଧରି ଏଠି ନୀତି ଚାଲିବ ଫଳରେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବିଳମ୍ବିତ ହେବ ଭିତର କାଠ ଦର୍ଶନ।
ଶୁକ୍ରବାର ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେ ଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେ। ତଳେ ପଡ଼ିଯିବାରୁ ସମ୍ପୃକ୍ତ ବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ବୋଝିଆ ଶାସନ ଦାମୋଦରପୁରର ଅଶୋକ ପ୍ରଧାନ। ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
ତେବେ ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରାଯାଉଛି। ଏଥିପାଇଁ ସର୍ବସାଧାରଣ ଦର୍ଶନ ଏବେ ବନ୍ଦ ରହିଛି। ଏହି ନୀତି ସରିବା ପରେ ହିଁ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ। ଗତ ୫ ଦିନ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ଭିତର କାଠ ନିକଟରେ ରକ୍ତଛିଟା ପଡିଥିବାରୁ ଏହି ବଡ଼ ମହାସ୍ନାନ ହୋଇଥିବା ବେଳେ ଆଜି ପୁଣିଥରେ ଏହି ବଡ଼ ମହାସ୍ନାନ ହେଉଛି।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ; ଦେଢ଼ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବନ୍ଦ