ଦେବଗଡ଼ : ଟ୍ରିପଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତ। ବିଷ ପିଇ ନିଜ ଜୀବନ ହାରିଛି ନର ରାକ୍ଷସ ରମେଶ ଗରିଆ। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି। ଏହାସହିତ ଏ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ।
ସୂଚନା ଅନୁସାରେ, ଘରୋଇ କଳହକୁ କେନ୍ଦ୍ର କରି କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ୫୦ ବର୍ଷୀୟ ବୃଦ୍ଧ ରମେଶ ଗରିଆ ନିଜ ସ୍ତ୍ରୀକୁ, ବୋହୂ ଏବଂ ଚାରି ବର୍ଷର ନାତୁଣୀକୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିଲା। ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦୁଇ ପୁଅ ଧିରେନ ଓ ଭୁବନ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ସୁନାର ସଂସାର ଛାରଖାର ହୋଇଯାଇଥିଲା। ଘଟଣା ସଂପର୍କରେ କୁଣ୍ଢେଇଗୋଳା ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଦୁଇ ଧରି ପୋଲିସକୁ ଚକ୍ମା ଦେଇଚାଲିଥିଲା ଅଭିଯୁକ୍ତ।
ଶନିବାର ଦିନ ଗାଁ ପାଖରେ ଥିବା ପାଣି ଟାଙ୍କି ଉପରେ ଅଭିଯୁକ୍ତ ବସିଥିବାର ଗାଁ ଲୋକେ ଦେଖିଥିଲେ। ଏହାପରେ ଗାଁ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସର ବାରମ୍ବାର ଅନୁରୋଧ ପରେ ତଳକୁ ଓହ୍ଲାଇନଥିଲା। ଶେଷରେ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଅପରେସନରେ ଅଭିଯୁକ୍ତକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ବେଳକୁ ସେ ବିଷ ପିଇ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ପୋଲିସ ହେପାଜତକୁ ପଠାଯାଇଥିଲା। ହେଲେ ସେଠାରେ ଅଭିଯୁକ୍ତ ବିଷ ପିଇ ଦେଇଥିଲା । ତେଣୁ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ ; ଜେଲ୍ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ