କଟକ: ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କଟକ ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥା ହୋଇ ବିସ୍ତୃତ ଆଲୋଚନା କରିଛନ୍ତି । ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଏସସିବି ଗସ୍ତ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ସମସ୍ତ ସମ୍ପୃକ୍ତ ବିଭାଗ ଓ ଟିମ୍ ପୂର୍ଣ୍ଣ ସମନ୍ୱୟର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମ୍ବେଦନଶୀଳ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ଉଦ୍ବେଗ ଏବଂ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।