ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗୁରୁତର ଆହତ ହୋଇଛି। ରେଢ଼ାଖୋଲ ଥାନା ଅନ୍ତର୍ଗତ ଡୁମଚାଲି ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଡୁମଚାଲି ଜଙ୍ଗଲରେ ଅପରାଧୀମାନେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ, ଯାହାର ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଏହି ସମୟରେ ଟିମାର ଡାହାଣ ଗୋଡରେ ଗୁଳି ବାଜିଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ଧନେଶ୍ୱର ଓରଫ ଟିମା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପୋଲିସ ରେକର୍ଡରେ ପୂର୍ବରୁ ରହିଛି। ତା’ ନାମରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଛି। କେବଳ ଟିମା ନୁହେଁ, ପୋଲିସ ଏହି ଅପରେସନରେ ତାର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଛି।