ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ଏଥର କଂଗ୍ରେସ ଶିବିରରେ କମ୍ପନ ସ୍ପଷ୍ଟ ହୋଇଛି। ପାର୍ଟି ‘ହୁଇପ୍’କୁ ଅଣଦେଖା କରି କ୍ରସ୍ ଭୋଟିଂ କରିବା ପରେ ତିନିଜଣ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଓ ସୋଫିଆ ଫିର୍ଦ୍ଦୋସ୍ ଙ୍କୁ କଂଗ୍ରେସ ଦଳ ନିଲମ୍ବନ କରିଛି। ଏହି ଘଟଣା ପରେ ରାଜ୍ୟର ରାଜନୀତି ତାପମାତ୍ରା ବଢ଼ିଯାଇଛି। କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ଵିତ ହେବ ପରେ ମଉକା ଦେଖି ଚୌକା ମାରିଛନ୍ତି ମହମ୍ମଦ ମୋକିମ୍। ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ସେ ଆହ୍ଵାନ ଦେଇଛନ୍ତି।ଏଥିସହ ଝିଅ ସୋଫିଆ ଫିର୍ଦ୍ଦୋସ୍ ଙ୍କ କ୍ରସ୍ ଭୋଟିଂ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି।
“ସୋଫିଆଙ୍କୁ କରାଯାଉଥିଲା ଅଣଦେଖା"
ମହମ୍ମଦ ମୋକିମ କହିଛନ୍ତି, ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍ ଦଳରେ ଲଗାତାର ଅଣଦେଖାର ସମ୍ମୁଖୀନ ହେଉଥିଲେ। “ମୋତେ ବହିଷ୍କାର କରାଯିବ ପରେ ମୋ ଝିଅ ସୋଫିଆଙ୍କୁ ଅଧିକ ଅଣଦେଖା କରାଯାଇଥିଲା। କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ। ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ। ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ
ଭିତରେ ଭିତରେ ଭାଙ୍ଗିଗଲା ଏକତା?
ସୂଚନା ଅନୁଯାୟୀ, ଏଥର ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଭାରି ପ୍ରସ୍ତୁତି ହୋଇଥିଲା। ୧୪ଜଣ ବିଧାୟକଙ୍କୁ ଏକତ୍ର ରଖିବା ପାଇଁ ଦଳ ଭିତରେ ବ୍ୟାପକ ଚେଷ୍ଟା ହୋଇଥିଲା। କିଛି ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାଇଥିଲେ ନେତାମାନେ।ତଥାପି, ଓଡ଼ିଶାରେ ରହିଥିବା ବିଧାୟକମାନଙ୍କ ମଧ୍ୟରୁ ୩ଜଣ ଶେଷରେ ଦଳୀୟ ନିଷ୍ପତ୍ତିକୁ ମାନିନଥିବାରୁ ଏହି ବିବାଦ ଦେଖାଦେଇଛି।
“ବିଶ୍ୱାସଘାତକ” ଅଭିଯୋଗ
କ୍ରସ୍ ଭୋଟିଂ ପ୍ରସଙ୍ଗରେ ନିଲମ୍ଵିତ ବିଧାୟକଙ୍କ ଉପରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଏହି ବିଧାୟକ, ବିଧାୟିକାଙ୍କ ଭଲ ଭବିଷ୍ୟତ ଥିଲା। ସେମାନେ ନିଜ ରାଜନୈତିକ କ୍ୟାରିଅର ନଷ୍ଟ କରିଦେଲେ। ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବ। ବ୍ୟକ୍ତିଗତ ଭାବେ ସୋଫିଆଙ୍କ ସହ କଥା ହୋଇଥିଲି। ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦେବାକୁ ଆଶ୍ଵାସନା ଦେଇଥିଲି। ତାଙ୍କ ବାପାଙ୍କୁ କଂଗ୍ରେସ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲି। ସେ କିନ୍ତୁ ନିଜର ରଙ୍ଗ ଦେଖେଇ ଦେଲେ। ଆଉ ଜଣଙ୍କୁ ଗଞ୍ଜାମର ଟାଇଗର କୁହାଯାଉଥିଲା। ଟାଇଗର୍ ଘାସ ଖାଏନି ବୋଲି ଶୁଣିଥିଲି। କିନ୍ତୁ କାଲି ଆମେ ଦେଖିଲୁ ଟାଇଗର୍ ଘାସ ଖାଇଲା।
“ଘୋଡ଼ା ବେପାର” ଅଭିଯୋଗ
ଅନ୍ୟପଟେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଛନ୍ତି ଯେ, ଘୋଡ଼ା ବେପାର ପ୍ରଭାବରେ ଏହି କ୍ରସ୍ ଭୋଟିଂ ଘଟିଛି।ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସର ଏହି ଅନ୍ତର୍ଦ୍ୱନ୍ଦ୍ୱ ଦଳର ଏକତାକୁ ପଦାରେ ପକାଇଛି। ଆଗାମୀ ଦିନରେ ଏହା ରାଜ୍ୟର ରାଜନୀତିରେ କେମିତି ପ୍ରଭାବ ପକାଉଛି, ତାହାଉପରେ ସମସ୍ତଙ୍କର ଦୃଷ୍ଟି ରହିଛି।