ପୁରୀ: ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ହେବ । ଏଥିସହ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।
ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଶ୍ରୀମନ୍ଦିର ଏମାର ମଠ ନିକଟରେ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ । ଏହି କେନ୍ଦ୍ରରେ ଶ୍ରୀଜଗନ୍ନାଥଙ୍କର ସମସ୍ତ ତତ୍ତ୍ଵ ଏବଂ ଐତିହାସିକ ତଥ୍ୟାବଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ । ସେହିପରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ଶ୍ରୀମନ୍ଦିର ବିଶ୍ଵସ୍ତରୀୟ ରଘୁନନ୍ଦନ ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ସମ୍ପର୍କିତ ସମସ୍ତ ତଥ୍ୟ, ପୁସ୍ତକ ରଖାଯିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଗବେଷଣା କରିବାକୁ ଚାହୁଁଥିବା ଗବେଷକଙ୍କୁ ସମସ୍ତ ତଥ୍ୟ, ପାଣ୍ଡୁଲିପି ଯୋଗାଇ ଦିଆଯିବ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରୀରେ ପରିଣତ କରାଯିବ । ସେଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ମଧ୍ୟ ବିକ୍ରି କରାଯିବ । ଏହି ଦୁଇ ପ୍ରକଳ୍ପର ନକ୍ସା ଓ ଡିଜାଇନ୍ ଓବିସିସି ପକ୍ଷରୁ ଏହି ବୈଠକରେ ଉପସ୍ଥାପନା କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।
ସିବିଏସଇ ଢାଞ୍ଚାରେ ପଢ଼ିବେ ସେବାୟତଙ୍କ ପିଲା
ଆଜିର ବୈଠକରେ ଆଗାମୀ ପୀଢ଼ିର ସେବାୟତଙ୍କ ଉପରେ ଗୁରୁତ୍ୱପ୍ରଦାନ କରାଯାଇଛି । ସେବାୟତଙ୍କ ଘରର ପିଲାମାନେ ସିବିଏସଇ ଢାଞ୍ଚାରେ ପାଠ ପଢ଼ିବେ । ସେବାୟତ ପିଲାମାନଙ୍କୁ ଏକ ଆଦର୍ଶ ସେବକ ଭାବେ ପରିଣତ କରିବା ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କରାଯିବ । ସିବିଏସଇ ଢାଞ୍ଚାରେ ସେବାୟତ ଘରର ପିଲାମାନଙ୍କୁ ଶିକ୍ଷାଦାନ କରାଯିବ । ଏହି ପ୍ରକଳ୍ପର ଜମିଜମା ସମସ୍ୟାର ଶିଘ୍ର ସମାଧାନ ପାଇଁ ଗଜପତି ମହାରାଜା ଜିଲ୍ଲାପାଳଙ୍କୁ କହିଛନ୍ତି ।
ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୁରୀକୁ ଆସୁଥିବା ଯାତ୍ରୀଙ୍କୁ କମ୍ ମୂଲ୍ୟରେ ରହଣୀ ପାଇଁ ରାଜ୍ୟ ସରକାର ବାସେଳୀ ସାହି ଥାନା ନିକଟରେ ଏକ ଯାତ୍ରୀ ନିବାସ ନିର୍ମାଣ କରାଯାଉଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପୂର୍ବରୁ ଲୋକାର୍ପିତ କରାବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଓବିସିସି ଅଧିକାରୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ମାନେ ବୈଠକରେ ଉପସ୍ଥିତ ଥିଲେ ।