ଭୁବନେଶ୍ୱର: ଶ୍ରୀମୟୀ ମିଶ୍ରଙ୍କୁ ଅତି କଡ଼ା ଶବ୍ଦରେ ସମାଲୋଚନା କରିଥିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଆଜି ଖୋଦ୍ ନବୀନ ଭୁଲ ପ୍ରମାଣିତ କରିଦେଇଛନ୍ତି । ଆଉ ଶ୍ରୀମୟୀ ବି ପ୍ରମିଳା ଏବଂ ଗୌତମବୁଦ୍ଧ ଦାଶଙ୍କୁ ପାଳିତ ଶୁଆ କହି ତେରର୍ଚ୍ଛା ବାଣ ମାରିଛନ୍ତି ।
ଶ୍ରୀମୟୀ କହିଛନ୍ତି ଯେ ପାଳିତ ଶୁଆଙ୍କୁ ଭୁଲ୍ ପ୍ରମାଣିତ କଲେ ବିଜେଡି ମୁଖିଆ । ଦୁଇ ମାନ୍ୟବର ବିଧାୟକ ପ୍ରମିଳା ମଲ୍ଲିକ ଓ ଗୌତମବୁଦ୍ଧ ଦାଶ ଏଭଳି କୌଣସି ଟ୍ରଷ୍ଟ ଗଢ଼ା ହୋଇନି ବୋଲି ଡାହା ମିଛ କହିଥିବା ମଧ୍ୟ ପ୍ରମାଣିତ ହେଲା । ଏହି ବିଧାୟକମାନଙ୍କର ଚିତ୍ର ଓ ଚରିତ୍ର ଏବେ ରାଜ୍ୟବାସୀ ଜାଣିଲେ । ଏଥିପାଇଁ ଶ୍ରୀମୟୀ ବିଜୁ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶେଷରେ ମୁଖିଆ ସ୍ୱୀକାର କଲେ ଯେ ସେ ହିଁ ନିଜେ ଟ୍ରଷ୍ଟ(ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ) ଗଢ଼ିଛନ୍ତି । ତଥାପି ସେ ପ୍ରଶ୍ନ କରିଛନ୍ତି ଯଦି ବିଜୁବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ହିତ ପାଇଁ ଟ୍ରଷ୍ଟ ଗଢ଼ା ହୋଇଥିଲା ଏହାକୁ ଗୋପନ କାହିଁକି ରଖାଯାଇଥିଲା ?
ଟ୍ରଷ୍ଟରେ ଥିବା ତ୍ରିମୂର୍ତ୍ତି (ସଂତୃପ୍ତ ମିଶ୍ର, ଭିକେ ପାଣ୍ଡିଆନ ଓ ଅଶୋକ ପରିଜା) ଙ୍କ ସମ୍ପର୍କରେ କାହିଁକି କିଛି କହିଲେ ନାହିଁ । କେବଳ ସେହି ୩ଜଣ ଟ୍ରଷ୍ଟର ଆଜୀବନ ସଦସ୍ୟ କାହିଁକି? ସେହିପରି ଓଡ଼ିଶାର ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ କଣ ବିଶ୍ୱାସଯୋଗ୍ୟ ନୁହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।
ଉଲ୍ଲେଖ ଯୋଗ୍ୟ, ଗତକାଲି ଶ୍ରୀମୟୀ ମିଶ୍ର ଏହି ଫାଉଣ୍ଡେସନକୁ ନେଇ ସାମାଜିକ ଗଣମାଧ୍ୟମରେ ବଡ଼ ଖୁଲାସା କରିଥିଲେ । ଭିକେ ଫାଣ୍ଡିଆନଙ୍କ ହାତରେ ନବୀନ ନିଜର ସାମ୍ରାଜ୍ୟ ଟେକି ଦେଇଥିବା ସେ କହିଥିଲେ । କିନ୍ତୁ ପ୍ରମିଳା ମଲ୍ଲିକ ଏହାକୁ ମିଥ୍ୟା ଏବଂ ମନଗଢ଼ା ବୋଲି କହିଥିଲେ । ଶ୍ରୀମୟୀଙ୍କ ସରପଞ୍ଚ ହେବାକୁ ଯୋଗ୍ୟତା ନାହିଁ । ଖାଲି ଭୁବନେଶ୍ୱରରେ ବସି ଭାଷଣ ମାରୁଛନ୍ତି ବୋଲି ପ୍ରମିଳା କହିଥିଲେ ।