ଭୁବନେଶ୍ୱର: ଚଳିତ ରାଜ୍ୟସଭା ନିର୍ବାଚନରେ ଅନେକ ବିଦ୍ରୋହୀ ପୁଅ ଝିଅ ମାନଙ୍କୁ ଦେଖିବାକୁ ମିଳିଛି । ସୋଫିଆ ଫିର୍ଦ୍ଦୋସ, ସୌଭିକ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଅରବିନ୍ଦ ମହାପାତ୍ରଙ୍କ ପରେ ବର୍ତ୍ତମାନ ଆଉ ଜଣେ ବିଦ୍ରୋହୀ ପୁଅ ସାମ୍ନାକୁ ଆସିଛନ୍ତି, ସେ ହେଉଛନ୍ତି କଂଗ୍ରେସର ନିଲମ୍ବିତ ବିଧାୟକ ରମେଶ ଜେନା । ବାପା ମାଆଙ୍କ ଅପମାନର ପ୍ରତିଶୋଧ ନେଇଥିବା ସେ କହିଛନ୍ତି ।
ରମେଶ ଜେନା ସାମ୍ବାଦିକ ସମ୍ମିଳନୀରେ କାହିଁକି ବିଜେଡ଼ି ସମର୍ଥିତ ପ୍ରାର୍ଥୀକୁ ଭୋଟ୍ ଦେଲେନି ତାହାର ଖୁଲାସା କରିଛନ୍ତି । ଉଭୟ ବିଜେଡ଼ି ଏବଂ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି । ବାପା ଓ ମାଆଙ୍କ ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ ଭୋଟ୍ ଦେଇ ନଥିବା ସ୍ପଷ୍ଟ ଭାବରେ କହିଛନ୍ତି । ରମେଶ ଜେନା କହିଛନ୍ତି ଯେ ଅଳ୍ପ ଦିନରେ କଂଗ୍ରେସ ଅଫିସ ବନ୍ଦ ହେଉଛି । ପୁଅ ଭୋଟ ଦେଉଥିବା ବେଳେ ବାପା ଏଜେଣ୍ଟ ଥିଲେ। ୨୪ ବର୍ଷ ହେଲା ସବୁ କଂଗ୍ରେସ କର୍ମୀ ବିଜେଡି ଦ୍ଵାରା ନିର୍ଯାତିତ ହୋଇଥିଲେ । ମୋର ଏନକାଉଉଣ୍ଟର କରିବା ପାଇଁ ସିନିୟର୍ ପୋଲିସ୍ ଧମକ ଦେଇଥିଲେ। ଅପେକ୍ଷା କରିଥିଲି । ଠିକ୍ ସମୟରେ ପ୍ରତିଶୋଧ ନେଲି ଏବଂ ମୁଁ ଠିକ୍ କରିଛି ବୋଲି ରମେଶ କହିଛନ୍ତି । ତାଙ୍କ ପରିବାର ପ୍ରତି ଅନ୍ୟାୟ ହୋଇଥିଲା । ବିଜେଡି ଯେଉଁ ହଇରାଣ କରିଛି, ଯିଏ ପ୍ରକୃତ କଂଗ୍ରେସ ଲୋକ ଏହାକୁ ଭୁଲି ପାରିବନି । ତାଙ୍କ ବିରୋଧରେ ଓ ୮୫ ବର୍ଷର ବାପାଙ୍କ ନାଁରେ ବିଜେଡ଼ି ମାମଲା ହୋଇଥିଲା । ତେଣୁ ମାଆ ଓ ବାପାଙ୍କ ସ୍ୱାଭିମାନ ଓ ସମ୍ମାନ ଭୋଟ୍ ଦେଇ ନଥିବା ସେ କହିଛନ୍ତି ।
ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ନିଶାଣ କରିଛନ୍ତି । ଗଞ୍ଜାମ ବାଘ ଘାସ ଖାଏ ନାହିଁ। ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ସମସ୍ତଙ୍କ ମତ ନେଉ ନାହାନ୍ତି। ନିଜକୁ ହିଟଲର ଭାବୁଛନ୍ତି । ନୂଆପଡ଼ାରେ ଘାସିରାମଙ୍କୁ କିଏ ସ୍ଵାଧୀନ ପ୍ରାର୍ଥୀ କରିଥିଲା ବୋଲି ରମେଶ ପ୍ରଶ୍ନ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଥାଇ ଘାସିରାମଙ୍କୁ କିଏ ପାଣ୍ଠି ଯୋଗାଇ ଦେଇଥିଲା । ଏହାକୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ସେହିପରି କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ମଧ୍ୟ କ୍ରସ୍ ଭୋଟିଂ କରିଛନ୍ତି । କିନ୍ତୁ ସେ ସେସାନଙ୍କ ନାଁକୁ ସର୍ବସାଧାରଣକୁ ଆଣି ନାହାଁନ୍ତି ।