ନୂଆଦିଲ୍ଲୀ: ରାଜନୀତିର ଆହ୍ଵା କେତେ ବେଳେ କେଉଁ ମୋଡ଼ ନେବେ ତାହା କହିବା ମୁସ୍କିଲ। ରାଜନୀତିରେ ସଂପର୍କର ପରିଭାଷା କହିବା ବି ବଡ଼ ମୁସ୍କିଲ। ଗାନ୍ଧୀ ପରିବାରର ଦ୍ୱିତୀୟ ଗୋଷ୍ଠୀର ବଂଶଧର ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଦୂରତା ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ଏହା ମଧ୍ୟରେ ମଙ୍ଗଳବାର ବରୁଣଙ୍କ ସପରିବାର ପିଏମ ମୋଦୀଙ୍କୁ ଭେଟିବା ଏବଂ ଇନଷ୍ଟାଗ୍ରାମରେ ଏକ ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କ ଖୋଲାଖୋଲି ପ୍ରଶଂସାକରିବା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି।
ବିଜେପିରେ ବରୁଣଙ୍କ ଭବିଷ୍ୟତ ଏବଂ ଭୂମିକା କଣ ରହିବ ତାକୁ ନେଇ କଳ୍ପନା ଜଳ୍ପନା କରାଯାଉଛି। ତଥାପି, ଏହାକୁ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ଦେଖାଯାଇପାରେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ବିଜେପିକୁ ସମାଲୋଚନା କରୁଥିବା ନେତାଙ୍କ ଦ୍ଵାର ଏବେ ବି ଖୋଲା ଅଛି। ତେବେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବରୁଣ ଗାନ୍ଧୀ ପିଏମ ମୋଦୀଙ୍କୁ ସାକ୍ଷାତ କରିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ତିନି ଥରର ସାଂସଦ ବରୁଣ
ବରୁଣ ଗାନ୍ଧୀ ତିନି ଥର ବିଜେପି ସାଂସଦ ରହିସାରିଛନ୍ତି। ୨୦୦୯ରେ ସେ ପ୍ରଥମ ଥର ପାଇଁ ପିଲିଭିଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦଳ ତାଙ୍କୁ ଜାତୀୟ କାର୍ଯ୍ୟକାରିଣୀରେ ସାମିଲ କରିଥିଲା ଏବଂ ସାଧାରଣ ସମ୍ପାଦକ ଭାବରେ ତାଙ୍କୁ ପଶ୍ଚିମବଙ୍ଗର ଦାୟିତ୍ଵ ଦେଇଥିଲା। ୨୦୧୪ରେ, ବରୁଣ ପିଲିଭିଟ ବଦଳରେ ସୁଲତାନପୁରକୁ ନିଜର ନିର୍ବାଚନମଣ୍ଡଳୀ ଭାବରେ ବାଛିଥିଲେ ଏବଂ ସେଠାରେ ମଧ୍ୟ ଜିତିଥିଲେ। ସେହି ବର୍ଷ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଐତିହାସିକ ବିଜୟ ହାସଲ କରିଥିଲା ଏବଂ ପ୍ରଥମ ଥର ପାଇଁ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସରକାର ଗଠନ କରିଥିଲା।
ଏହି ନିର୍ବାଚନରେ ବରୁଣ ଓ ବିଜେପି ସରକାର ମଧ୍ୟରେ ମତଭେଦ ଏବଂ ଦୂରତା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ବରୁଣଙ୍କୁ ଦଳୀୟ ଦାୟିତ୍ଵରୁ ମୁକ୍ତ କରାଯାଇଥିଲା। ଏହା ସତ୍ତ୍ୱେ ବି ୨୦୧୯ରେ ଦଳ କେବଳ ମା-ପୁଅ ଯୋଡ଼ି ମାନେକା ଏବଂ ବରୁଣଙ୍କୁ ଲୋକସଭା ଟିକେଟ୍ ଦେଇନଥିଲ, ବରଂ ସେମାନଙ୍କୁ ଆସନ ଅଦଳବଦଳ କରିବାକୁ ମଧ୍ୟ ଅନୁମତି ଦେଇଥିଲା। ୨୦୧୯ରେ ମାନେକା ସୁଲତାନପୁରରୁ ଏବଂ ବରୁଣ ପିଲିଭିଟରୁ ଜିତିଥିଲେ।
ଏହା ପରେ ବରୁଣ ଗାନ୍ଧୀ ଖୋଲାଖୋଲି କେନ୍ଦ୍ରର ମୋଦୀ ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇବା ସହ ନୀତିକୁ ସମାଲୋଚନା କରି ଆସୁଥିଲେ। ତଥାପି ଦଳ ତାଙ୍କର ବୟାନକୁ କେବେ ଗୁରୁତର ସହ ଗ୍ରହଣ କରି ନ ଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ବିଜେପି ବରୁଣଙ୍କୁ ଟିକେଟ୍ ଦେଇ ନ ଥିଲା। କିନ୍ତୁ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ ସୁଲତାନପୁରରୁ ପ୍ରାର୍ଥୀ କରିଥିଲା। ହେଲେ ମେନକା ହାରି ଯାଇଥିଲେ। ତେବେ ବଦଳୁଥିବା ପରିଦୃଶ୍ୟ ମଧ୍ୟରେ ବରୁଣ ଗାନ୍ଧୀଙ୍କ ଆବଭାବରେ ପରିବର୍ତ୍ତନ ଆସିଛି। ଏବେ ତାଙ୍କ ମୁହଁରୁ ଆଉ ବିଜେପି ବିରୋଧୀ ବୟାନ ଶୁଣିବାକୁ ମିଳୁନାହିଁ। ଏହା ମଧ୍ୟରେ ମଙ୍ଗଳବାର ବରୁଣ ନିଜର ସପରିବାର ସହ ପିଏମ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପୁଣି ଥରେ ଦଳରୁ ତାଙ୍କର ବନବାସ ସମାପ୍ତ ହେବ ବୋଲି କୁହାଯାଉଛି।