ଭୁବନେଶ୍ୱର: ରାଜଧାନୀରରେ ନିର୍ମାଣ ହେଉଛି ଏକ ନୂଆ ପାୱାର କରିଡୋର। ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟ ବିଶିଷ୍ଟ ବିଶାଳ ଆବାସିକ କମ୍ପ୍ଲେକ୍ସ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆସନ୍ତା ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ କାମ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜେ ଘଟଣାସ୍ଥଳ ପରିଦର୍ଶନ କରି କାମର ଗତି ପରଖିଛନ୍ତି। ବାକିଥିବା କାମକୁ କ୍ଷିପ୍ର ଗତିରେ ସାରିବା ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ତାଗିଦ କରିଛନ୍ତି, ଡେଡଲାଇନ୍ ଭିତରେ କାମ ଶେଷ କରିବାକୁ କୁହାଯାଇଛି।
୬ ଟାୱାର, ୩୦୦ ଫ୍ଲାଟ – ଏକ ସଂପୂର୍ଣ୍ଣ ‘ମିନି ସିଟି’
୬ଟି ଟାୱାରବିଶିଷ୍ଟ ଏହି ଆବାସିକ କମ୍ପ୍ଲେକ୍ସରେ ମୋଟ ୩୦୦ଟି ଫ୍ଲାଟ ରହିଛି। ସେଥିମଧ୍ୟରୁ ୧୦୫ଟି ଟାଇପ୍ ୭ ଫ୍ଲାଟ୍ ରହିଥିବାବେଳେ ୧୯୫ଟି ଟାଇପ୍ ୬ ଫ୍ଲାଟ୍ର ବ୍ୟବସ୍ଥା ରହିଛି। କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ। ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ପରସରକୁ ସବୁଜ ବଳୟରେ ପରିଣତ କରବା ପାଇଁ ବଡ଼ ବଡ଼ ଉପାଦେୟ ଗଛ ଲଗାଯିବ। ସେହିଭଳି ଅତିଥିମାନଙ୍କ ପାଇଁ ୫୦ କୋଠରି ବିଶିଷ୍ଟ ଏକ କ୍ଲବ୍ ହାଉସ୍ ନିର୍ମାଣ ନେଇ ଆଲୋଚନା ହୋଇଥିଲା।
ଗ୍ରୀନ୍ ଲିଭିଂ + ମଡର୍ନ୍ ସୁବିଧା
ଏହା କେବଳ ଫ୍ଲାଟ୍ ନୁହେଁ ବରଂ ଏକ ‘ସ୍ମାର୍ଟ ଲିଭିଂ ଜୋନ୍’, ଏଥିରେ ରହିଛି
- ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ
- ଭୂତଳ ଜଳ ସଂରକ୍ଷଣ
- ସବୁଜ ବଳୟ ସୃଷ୍ଟି
- ୫୦ କୋଠା ବିଶିଷ୍ଟ କ୍ଲବ୍ ହାଉସ୍
ଏହି ପ୍ରକଳ୍ପ ସମୀକ୍ଷାରେ ବିଧାୟକ ବାବୁ ସିଂ, ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଓ ଓବିସିସିର ଏମଡି ଅନୁପମ ସାହା ସହ ଅନେକ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଭୁବନେଶ୍ୱରରେ ଗଢ଼ୁଥିବା ଏହି ନୂଆ ଆବାସିକ କମ୍ପ୍ଲେକ୍ସ କେବଳ ଏକ ଘର ନୁହେଁ, ଏହା ଆଗାମୀ ଦିନର ‘ପାୱାର ହବ୍’ ହେବାକୁ ଯାଉଛି।